କୋଣାର୍କ ହେବ ‘ସୂର୍ଯ୍ୟ ନଗରୀ’: ସ୍ଥାପନ ହେବ ୧୦ ମେଗାଓ୍ବାଟର ସୌର ଶକ୍ତି ପ୍ଲାଣ୍ଟ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ପୁରୀ ଜିଲାର କୋଣାର୍କ ଅଞ୍ଚଳକୁ ସୂର୍ଯ୍ୟ ନଗରୀରେ ପରିଣତ କରାଯିବ। କୋଣାର୍କ ମନ୍ଦିର ସମେତ ଏହାର ଚତୁଃପାର୍ଶ୍ୱ ଏବଂ ଏଠାରେ ଗଢି ଉଠିଥିବା ସହର ସୌର ଶକ୍ତିରେ ଚମକିବ। କେନ୍ଦ୍ର ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ସହରକୁ ସୌର ଶକ୍ତିରେ ଆଲୋକିତ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଧୁନିକ ସୌର ଶକ୍ତି ଲକ୍ଷ୍ୟକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଓଡିଶାର ଐତିହାସିକ କୋଣାର୍କରୁ ଏହି ଯୋଜନା ଆରମ୍ଭ କରାଯିବ ବୋଲି ବୁଧବାର କେନ୍ଦ୍ର ଶକ୍ତି ଏବଂ ନୂତନ ଏବଂ ଅଣପାରମ୍ପରିକ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂ କହିଛନ୍ତି। ପୁରାତନ ସୂର୍ଯ୍ୟମନ୍ଦିରରୁ ସମଗ୍ର ଦେଶରେ ଆଧୁନିକ ସୌର ଶକ୍ତି ଯୋଜନା ପାଇଁ ଏଠାରୁ ଏକ ବାର୍ତ୍ତା ଯିବ। କେନ୍ଦ୍ର ସରକାରଙ୍କ ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(ଓରେଡା)ର ମିଳିତ ଆନୁକୂଲ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। କୋଣାର୍କ ଠାରେ ୧୦ ମେଗାଓ୍ବାଟ ବିଶିଷ୍ଟ ସୌର ଶକ୍ତି ପ୍ରଳକ୍ପ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି ଯୋଜନା ପାଇଁ ୨୫ କୋଯି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। କେନ୍ଦ୍ର ସରକାର ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକଳ୍ପ ଦ୍ୱାରା କୋଣାର୍କ ସୂର୍ଯ୍ୟମନ୍ଦିରକୁ ସୌର ଶକ୍ତିରେ ଆଲୋକିତ କରାଯିବା ସହିତ ସୌର ବୃକ୍ଷ, ସୌର ପାନୟ ଜଳ କିଓସ୍କୋ, ବ୍ୟାଟେରୀ ସଂରକ୍ଷିତ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରାଯିବ। କୋଣାର୍କ ସହରକୁ ଏହି ଶକ୍ତି ପ୍ରକଳ୍ପରୁ ବିଦ୍ୟୁତ ଯୋଗାଇ ଦିଆଯିବ। ସମ୍ପୂର୍ଣ୍ଣ ଅଞ୍ଚଳକୁ ପାରମ୍ପରିକ ଶକ୍ତିରୁ ମୁକ୍ତ ରହିବା।