କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟ୍‌ଖା ଜବତ: ବାପପୁଅଙ୍କ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୫ା୮-ବ୍ରହ୍ମପୁର ସଦର ଥାନା ପୋଲିସ ୨ଟି ବଡ ଧରଣର ଗୁଟ୍‌ଖା କାରଖାନା ଉପରେ ଚଢାଉ କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟ୍‌ଖା ଜବତ କରିଛି। ଶନିବାର ରାତି ତମାମ ସଦର ଏସ୍‌ଡିିପିଓ ଜୟନ୍ତ ମହାପାତ୍ର, ଥାନାଧିକାରୀ ଭାବନାନନ୍ଦ ପ୍ରଧାନ ଓ ତାଙ୍କ ଟିମ୍‌ ବୋରିଗାଁ ଏବଂ ଭୂତପଲ୍ଲୀରେ ଥିବା ୨ଟି ଗୁଟ୍‌ଖା କାରଖାନାରେ ଚଢାଉ କରି ପ୍ରାୟ ୪ ଟ୍ରକ ଗୁଟ୍‌ଖା, ପ୍ୟାକିଂ ମେଶିନ ଓ ପଲିଥିନ ଜରି ଆଦି ଜବତ କରିଛନ୍ତି। ବେଆଇନ ଭାବେ ଏହି କାରବାର ଚଳାଇଥିବା ବାପପୁଅଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ନଂ.୧୯୪/୧୯ ଓ ୧୯୫/୧୯ରେ କାଳୁପାତ୍ର ସାହିର ନାରୁ ଓରଫ ନାରାୟଣ ସାହୁ, ତାଙ୍କ ପୁଅ କିଷାନ ଓ ଅନ୍ୟ ଜଣେ ବେପାରୀ ଶରତ ସାହୁଙ୍କୁ ଗିରଫ କରାଯାଇଛି ବୋଲି ଏସ୍‌ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି। ନାରାୟଣ ମହେଶ ନାମକ ଏକ ବ୍ରାଣ୍ଡର ସାଦା ପୁଡ଼ିଆ ପ୍ରସ୍ତୁତ କରିବା ପାଇଁ ଲାଇସେନ୍ସ ପାଇଥିଲେ ା କିନ୍ତୁ ସେ ତାହା ନ କରି ତା’ ବଦଳରେ ସେଠାରେ ବେଆଇନ ଭାବେ ଗୁଟ୍‌ଖା ପ୍ରସ୍ତୁତ କରୁଥିଲେ ବୋଲି ଜେରା ବେଳେ ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତମାନେ ସହର ତଳି ଗଁାଗୁଡିକରେ କମ ଟଙ୍କାରେ ଘରଭଡା ନେଇ ଗୁଟ୍‌ଖା ପ୍ରସ୍ତୁତ କରୁଥିଲେ । ଏହା ଏବେ ଜିଲାର ଚାରିଆଡେ ବ୍ୟାପିଛିି। ପୋଲିସ ଏହି ଗୁଟ୍‌ଖା କାରବାର ସମ୍ପର୍କରେ ଯାଞ୍ଚ ବେଳେ ସେଠାରେ ବିଭିନ୍ନ ପ୍ରକାର ରନ୍ଧା ତେଲ ମଧ୍ୟ ଅପମିଶ୍ରଣ କରାଯାଉଥିବା ଦେଖିବାକୁ ପାଇଥିଲା ବୋଲି ଏସ୍‌ଡିପିଓ ମହାପାତ୍ର କହିଛନ୍ତି। ପୋଲିସ ଏବେ ଏହିସବୁ ଘଟଣାର ଖୋଳତାଡ ଜାରି ରଖିଛି ବୋଲି କହିଛି।