କେହି ଶୁଣୁ ନାହାନ୍ତି ଦୁଃଖ: ପାଣି ପାଇଁ ଲୋକେ ଡହଳବିକଳ

ଟିକିରି, ୧୯ା୩ (ଡି.ଏନ୍‌.ଏ.) ରାୟଗଡ଼ା ଜିଲା କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତରେ ରହିଛି ଆଦିବାସୀ ସାହି। ଏହି ସାହିରେ ଥିବା ପାନୀୟ ଜଳ ପ୍ରକଳ୍ପ ୬ ମାସ ହେଲା ଅଚଳ ହୋଇ ପଡ଼ି ରହିଛି। ଫଳରେ ଲୋକେ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି। ଏନେଇ ବାରମ୍ବାର ଜଣାଇଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି। ଯଦି ତୁରନ୍ତ ଏହାର କୌଣସି ସମାଧାନ କରା ନ ଯାଏ, ତାହାହେଲେ ରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଉକ୍ତ ସାହିରେ ୫ ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ସାହି ନିକଟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା।ହେଲେ ତାହା ୬ ମାସ ହେଲାଣି ଅଚଳ ହୋଇ ପଡ଼ି ରହିଛି। ସାହିବାସିନ୍ଦା ଏନେଇ ଜଣାଇଲେ ମଧ୍ୟ କେହି ସେମାନଙ୍କ ଦୁଃଖ ଶୁଣୁ ନାହାନ୍ତି। ପ୍ରତ୍ୟେକ ସାହିରେ ଦୁଇରୁ ତିନୋଟି ଲେଖାଏଁ ଷ୍ଟାଣ୍ଡପୋଷ୍ଟ ରହିଛି। ସେଥିରୁ ଆବଶ୍ୟକ ମୁତାବକ ପାଣି ମିଳୁ ନ ଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି। ସେହିପରି ସାହିରେ ଥିବା ନଳକୂପର ଜଳସ୍ତର ଦିନକୁ ଦିନ କମୁଥିବାରୁ ସେଥିରୁ ପାଣି ବାହାରୁ ନ ଥିବା ଜଣାଯାଇଛି। ଜଳପ୍ରକଳ୍ପ ଅଚଳ ନେଇ କୁଚେଇପଦର ସରପଞ୍ଚ ରାଧାନାଥ ସାଉଁନ୍ତାଙ୍କୁ ପଚାରିବାରୁ, ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କାମ ଚାଲିଛି। ସେଥିଲାଗି ଜଳ ଯୋଗାଣ ବନ୍ଦ ରହିଛି। କାମ ସାରିବାକୁ ଆଉ ୨ ମାସ ଲାଗିବ ବୋଲି ସେ କହିଛନ୍ତି।