କେସିଙ୍ଗା ବ୍ଲକର ୫ଟି ଗ୍ରାମପଞ୍ଚାୟତର ବନ୍ୟାଞ୍ଚଳ ବୁଲି ଦେଖିଲେ ବିଧାୟକ

କେସିଙ୍ଗା,୧୭।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୫ଟି ଗ୍ରାମପଞ୍ଚାୟତରେ ଗତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭୁପିନ୍ଦର ସିଂହ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । କେସିଙ୍ଗା ବ୍ଲକର ତୁର୍ଲାଖମନ, ତୁଣ୍ଡଲା, ହାତୀଖୋଜ, ସିର୍ଜାପାଲି ଓ ବେଲଖଣ୍ଡି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ବିଧାୟକ ବୁଲି ଦେଖିଥିଲେ । ତୁଣ୍ଡଲା ଗ୍ରାମ ପଞ୍ଚାୟତର ରଜାପଡା ଗ୍ରାମର ଓ ରଜାପଡାର ୩ଜଣଙ୍କ ଘର ସମ୍ପର୍ଣ୍ଣ ଭାଙ୍ଗିଯାଇଛି । ସେହିପରି ରଣାପଡା ରୋଡଠାରୁ ନଦୀ ରାସ୍ତା ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଛି । ତୁଣ୍ଡଲା ଗ୍ରାମ ପଞ୍ଚାୟତର ବ୍ରଜମଣି ଥପା (୫୫), ମାନ୍ଦାତା ରଣା (୫୦), ପର୍ଣ୍ଣ ରଣା (୩୨)ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସିର୍ଜପାଲି ଗ୍ରାମ ପଞ୍ଚାୟତର ହରିଜନପଡାରେ ପାନୀୟ ଜଳ ଓ ରାସ୍ତା ନିର୍ମାଣ ପାଇଁ ପଡାବାସୀ ବିଧାୟକଙ୍କ ସମ୍ମୁଖରେ ଦାବି ଜଣାଇଥିଲେ । ଏହି ପଞ୍ଚାୟତରେ ୩ ମାସ ହେଲା ବର୍ଷା ଋତୁରେ ପଞ୍ଚାୟତ ପକ୍ଷରୁ କିରୋସିନ ଯୋଗାଣ କରାଯାଇ ନ ଥିବା ମଧ୍ୟ ପଡାବାସୀ ଅଭିଯୋଗ କରିଥିଲେ । ଗତ ବନ୍ୟାରେ ପିପଲପଦରଠାରୁ ସିର୍ଜାପାଲି ଗ୍ରାମକୁ ସଂଯୋଗ ହୋଇଥିବା ଆରଡି ରାସ୍ତା ପ୍ରାୟ ୫୦୦ ଫୁଟ ପର୍ଯ୍ୟନ୍ତ ୨ଟି ଘାଇ ସୃଷ୍ଟି ହୋଇଥିବାରୁ ସ୍କୁଲ, କଲେଜ ଛାତ୍ରୀଛାତ୍ରମାନେ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ହେଉଥିବାରୁ ଆରଡି ବିଭାଗର ଏସଡିଓଙ୍କୁ କାଲିଠୁ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବେଲଖଣ୍ଡି-ସିର୍ଜାପାଲି ଗ୍ରାମର ମଝି ରାସ୍ତା ମୁଡାଟାଲ ୩୦୦ ଫୁଟରୁ ଊର୍ଦ୍ଧ୍ୱ ଧୋଇ ହୋଇ ରାସ୍ତା ଘାଇ ସୃଷ୍ଟି ହୋଇଛି । ବେଲଖଣ୍ଡି ଗ୍ରାମ ପଞ୍ଚାୟତର ପଲସାପଡା, ପଲମ ରାସ୍ତା ମଧ୍ୟ ତଦୃପ । ସିର୍ଜାପାଲି ଗ୍ରାମର ୧୭୦ ହେକ୍ଟର, ବେଲଖଣ୍ଡି ୧୫୦ ହେକ୍ଟର, ହାତୀଖୋଜ ଗ୍ରାମର ୫୦ ହେକ୍ଟର ଜମିରେ ବାଲିଚର ଓ ଧାନ ନଷ୍ଟ ହୋଇଥିବା ବିଧାୟକ ବୁଲି ଦେଖିଥିଲେ । ଏହି ୫ଟି ଗ୍ରାମପଞ୍ଚାୟତରେ ବାଲିଚର ଓ ଘର ଭାଙ୍ଗିଥିବା ଲୋକଙ୍କ ରାଜସ୍ବ ନିରୀକ୍ଷକ ଠିକ୍‌ ଭାବରେ ଆକଳନ କରୁ ନ ଥିବାରୁ ବିଧାୟକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଶେଷରେ ବେଲଖଣ୍ଡି ଶିବ ମନ୍ଦିରରେ ଏକ ବୈଠକ କରି ବିଭାଗୀୟ ଅଧିକାରୀଙ୍କୁ କ୍ଷୟକ୍ଷତି ରାସ୍ତା ଘାଟ ମରାମତି, ଘର ଆଦି ବିଷୟରେ ବିଧାୟକ ଯୁଦ୍ଧକାଳୀନ ଭିର୍ତ୍ତିରେ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ବେଳେ କେସିଙ୍ଗା ଏବିଡିଓ ରାଜେନ୍ଦ୍ର ଶର୍ମା, ଆରଡି ବିଭାଗର ଏସଡିଓ ଚିତ୍ତରଞ୍ଜନ ନାଏକ, ଜେଇ, ସରପଞ୍ଚ, ୱାର୍ଡମେମ୍ବର, ସମସ୍ତ ବିଭାଗୀୟ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ ।