କେସିଙ୍ଗା ଏନ୍‌ଏସିରେ ଶୁଖିଲା ଖାଦ୍ୟ ବଣ୍ଟନ କଲା ମାନବ ସେବା ଟ୍ରଷ୍ଟ

କେସିଙ୍ଗା,୧୫।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ୬ ନଂ. ୱାର୍ଡରେ ମାନବ ସେବା ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବୁଧବାର ବଣ୍ଟନ କରାଯାଇଛି। ସମ୍ପୂର୍ଣ୍ଣ ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ସହରର ସାହି ବସ୍ତିରେ ରହୁଥିବା ଗରିବ ତଥା ଶ୍ରମିକଶ୍ରେଣୀୟ ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। କାମ ଅଭାବରୁ ନିଜର ପେଟପାଟଣା ପାଇଁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ଏକ ଦୁର୍ଦ୍ଦିନ ସମୟରେ କେସିଙ୍ଗା ସହରରେ ସାଧାରଣ ଲୋକଙ୍କୁ ସହାୟତାର ହାତ ବେଇଛି ମାନବ ସେବା ଟ୍ରଷ୍ଟ। ପ୍ରତିଦିନ ସହରର ବିଭିନ୍ନ ୱାର୍ଡରେ ୨୦୦ରୁ ୩୦୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ମହନୀୟତାର ଟ୍ରଷ୍ଟ ପରିଚୟ ଦେଇଆସୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଗତ ୨୫ମାର୍ଚ୍ଚରୁ ନିରବଛିନ୍ନ ଭାବେ ଏହି ବଣ୍ଟନ କାର୍ଯ୍ୟ ଜାରି ରହିଛି। ଉକ୍ତ ୱାର୍ଡରେ ବୁଧବାର ଆୟୋଜିତ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟ୍ରଷ୍ଟର ଉପଦେଷ୍ଟା ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ନିଆଲ, ସଭାପତି ସଚିନ ଜୈନ, ଫିଲ୍ମ ତାରକା ସୁମନ ପ୍ରିୟା, ଯୁବନେତା ପ୍ରଦୀପ ଦାସ, ସିଲୁ ପରିଡା, ରଞ୍ଜନ ବେହେରା, ପିଣ୍ଟୁ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ। ପ୍ରତିଟି ଘରଘର ବୁଲି ନିଆଲ ଗରିବ ଲୋକଙ୍କୁ ସଚେତନ କରେଇବା ସହ ସାମାଜିକ ଦୂରତା ନିୟମ ରକ୍ଷା କରି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ନିରନ୍ତର ଚାଲିଥିବା ଏହି ସେବା ଲକ୍‌ଡାଉନ ଅବଧି ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଭାପତି ସଚିନ ଜୈନ ସୂଚନା ଦେଇଛନ୍ତି।