କେସିଙ୍ଗା ଅନ୍ନପୂର୍ଣ୍ଣା ରାଇସ୍‌ମିଲରେ ୪୦ ଫୁଟ୍‌ ଉପରୁ ଖସିପଡ଼ି ଶ୍ରମିକ ମୃତ

କେସିଙ୍ଗା,୧୭।୩: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଉତକେଲା ଫାଣ୍ଡି ଅନ୍ତର୍ଗତ ଅନ୍ନପୂର୍ଣ୍ଣା ରାଇସ୍‌ ମିଲ୍‌ରେ ଦୁର୍ଘଟଣା ଘଟି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକ ହେଲେ ଉତକେଲା ପଞ୍ଚାୟତ କାଦୋପଡା ଗାଁର ସ୍ବର୍ଗତ କାଳିଆ ମେହେର ଙ୍କ ପୁଅ କହ୍ନେଇ ମେହେର(୨୩)। ପୋଲିସ ଖବରପାଇ ମୃତଦେହ ଜବତ କରିବା ସହ ଥାନାରେ ମାମଲା ନଂ(୬୧/୨୦) ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ଅଶୋକ କୁମାର ମହାପାତ୍ର ମଙ୍ଗଳବାର ପ୍ରକାଶ କରିଛନ୍ତି।

ଖବରରୁ ପ୍ରକାଶ, କହ୍ନେଇ ସମ୍ପୃକ୍ତ ରାଇସ ମିଲ୍‌ରେ ଦୀର୍ଘ ବର୍ଷ ଧରି ଶ୍ରମିକ ଭାବେ କାମ କରି ଆସୁଥିଲେ। ସୋମବାର ମିଲ୍‌ରେ କାମ କରୁଥିବା ସମୟରେ ପ୍ରାୟ ୪୦ ଫୁଟ ଉପରୁ ସେ ପଡି ଯାଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଶ୍ରମିକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିବା ସହ ଶ୍ରମିକମାନେ ମାଲିକଙ୍କୁ ଖବର ଦେଇଥିଲେ। ମାଲିକଙ୍କ ନିର୍ଦ୍ଦେଶପରେ ତାଙ୍କୁ ଚିକିତ୍ସା ପାଇଁ ଉତକେଲା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖବର ପାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପାଠାଇଥିଲା। ଏହାପରେ

ମଙ୍ଗଳବାର ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଅପରପକ୍ଷେ ମୃତ କହ୍ନେଇ ପରିବାରର ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ରୋଜଗାର କରି ଦୁଇ ଭଉଣୀ ଏବଂ ବିଧବା ମା’ଙ୍କ ପେଟ ପୋଷୁଥିଲେ। ଏବେ ତାଙ୍କର ମୃତ୍ୟୁ ପରିବାର ଉପରେ ବଜ୍ରପାତ ସଦୃଶ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେ ଗରିବ ଶ୍ରେଣୀୟ ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।