କେରେଣ୍ଡାଟାଙ୍ଗୀ ବାଳକୃଷ୍ଣ ବିଦ୍ୟାପୀଠ: ୧୦ ଶ୍ରେଣୀ ପାଇଁ ଅଛନ୍ତି ୬ ଶିକ୍ଷକ

ରଣପୁର,୧୯।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ବାଳକୃଷ୍ଣ ବିଦ୍ୟାପୀଠରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ୫୦୦ ଛାତ୍ରୀଛାତ୍ର ପଢୁଛନ୍ତି। ୩୦ ପିଲାରେ ଜଣେ ଶିକ୍ଷକ ଅନୁପାତକୁ ଦେଖିଲେ ଏଠାରେ ୧୭ ଶିକ୍ଷକ ରହିବା କଥା। ଏପରିସ୍ଥଳେ ଅଛନ୍ତି ମାତ୍ର ୬ ଶିକ୍ଷକ। ଏତେ ପିଲାଙ୍କୁ ଏହି ୬ଜଣ କିପରି ପଢାଉଥିବେ ତାହା ସହଜରେ ଅନୁମେୟ।
କେରେଣ୍ଡାଟାଙ୍ଗୀ ବାଳକୃଷ୍ଣ ବିଦ୍ୟାପୀଠରେ ବିଜ୍ଞାନ, କଳା, ସଂସ୍କୃତ, କ୍ରୀଡା ବିଭାଗରେ ଶିକ୍ଷକ ପଦବୀ ଖାଲି ପଡିଛି । ନିୟମକୁ ଦେଖିଲେ ଏଠାରେ ୧୭ ଶିକ୍ଷକଙ୍କର ଆବଶ୍ୟକତା ରହିଛି । କିନ୍ତୁ ୧୦ ଶ୍ରେଣୀ ପାଇଁ ଅତି କମ୍‌ରେ ୧୨ ଜଣ ଶିକ୍ଷକ ନିଯୁକ୍ତି ଦେଲେ ପାଠପଢ଼ା ଠିକ୍‌ ହୁଅନ୍ତା ବୋଲି କୁହାଯାଉଛି। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଥିବାବେଳେ ଏଥିରେ ସେକ୍ସନ କରାଯିବା କଥା । ହେଲେ ସବୁ କାମଚଳାରେ ଚାଲିଛି। ବିପର୍ଯ୍ୟସ୍ତ ଶିକ୍ଷାବ୍ୟବସ୍ଥା ସୁଧାରିବାକୁ ଶିକ୍ଷକ ନିଯୁକ୍ତି ନେଇ ବିଭିନ୍ନ ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲେ ମଧ୍ୟ ଜିଲା ଓ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ରହିଛି । ଅଭିଭାବକ ରବୀନ୍ଦ୍ର ପ୍ରଧାନ କୁହନ୍ତି, ୧୯୮୦ ମସିହାର ଏହି ସ୍କୁଲରେ ପାଠପଢ଼ା ଠିକ୍‌ରେ ହେଉ ନ ଥିବା କହିଲେ ବିଶ୍ୱାସ କରିହେଉନି । ବ୍ଲକର କିଛି ସ୍କୁଲରେ ଶିକ୍ଷକଙ୍କ ଆବଶ୍ୟକତା ନ ଥାଇ ମଧ୍ୟ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଅଥଚ ଯେଉଁଠାରେ ଆବଶ୍ୟକତା ରହିଛି ସେଠାରେ ଅଣଦେଖା କରାଯାଉଛି। ଶିକ୍ଷା ବିଭାଗର ଏପରି ନୀତି ବିରୋଧରେ ଆନ୍ଦୋଳନ କରାଯିବାକୁ ଅଭିଭାବକମାନେ ସଜବାଜ ହେଉଛନ୍ତି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁବଳ ପରିଡା କୁହନ୍ତି, ଶିକ୍ଷକ ଅଭାବରୁ ପାଠ ପଢ଼ାଇବାରେ ବହୁତ କଷ୍ଟ ହେଉଛି । ଛାତ୍ରୀଛାତ୍ରଙ୍କ ଅନୁପାତକୁ ଆଖି ଆଗରେ ରଖି ଶିକ୍ଷକ ଯୋଗାଇବା ଦରକାର।