କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣକଲେ ତରୁଣକାନ୍ତି, କାଳିଚରଣ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ମଙ୍ଗଳବାର ୨୦୧୯ ମସିହା ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ମଣ୍ଡି ହାଉସ୍‌ସ୍ଥିତ କମାନୀ ଅଡିଟୋରିୟମ୍‌ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ତଥା ଗୀତିକାର ଗୁଲ୍‌ଜାର ଏବଂ ଏକାଡେମୀ ସଭାପତି ଚନ୍ଦ୍ରଶେଖର କମ୍ବର ଯୋଗଦେଇ ପ୍ରତିଭାମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଓଡ଼ିଶାରୁ ଖ୍ୟାତନାମା ଲେଖକ ତରୁଣକାନ୍ତି ମିଶ୍ର ଏବଂ ସାନ୍ତାଳୀ କଥାକାର କାଳିଚରଣ ହେମ୍ବ୍ରମ୍‌ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ। ମିଶ୍ର ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ବତୀ’ ପାଇଁ ଏକାଡେମୀ ପୁରସ୍କାର ପାଇଥିବାବେଳେ ସାନ୍ତାଳୀ ଭାଷା ସାହିତ୍ୟରେ ଅବଦାନ ଲାଗି ହେମ୍ବ୍ରମ୍‌ ପୁରସ୍କାର ଗ୍ରହଣ କରିଥିଲେ।
୧୯୫୦ ଅଗଷ୍ଟ ୨ରେ କେନ୍ଦୁଝର ଜିଲାରେ ଜନ୍ମଗ୍ରହଣ କରିଥିବା ତରୁଣକାନ୍ତି ମିଶ୍ର ବିଜେବି କଲେଜରୁ ଅର୍ଥନୀତିରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅପ୍ଲାଏଡ୍‌ ଇକୋନୋମିକ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୧୯୭୫ରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିବା ବେଳେ ରାଜ୍ୟ ସରକାରଙ୍କ ୧୦ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇ ୨୦୧୦ରେ ରାଜ୍ୟ
ମୁଖ୍ୟ ଶାସନ ସଚିବ ଭାବେ ଅବସର ଗ୍ରହଣ କରିଥିଲେ। ପ୍ରଶାସନିକ ସେବାରେ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ମିଶ୍ର ଜଣେ ସାହିତି୍ୟକଭାବେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରିଛନ୍ତି। ସେ ସ୍କୁଲ୍‌ରେ କ୍ଷୁଦ୍ର ଗଳ୍ପ ରଚନାରୁ ନିଜ ସାହିତି୍ୟକ ଜୀବନ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କର ୨୦୦ରୁ ଅଧିକ ଲେଖା ପ୍ରକାଶିତ ହୋଇସାରିଛି। ‘ଦଣ୍ଡକାରଣ୍ୟ’ ପୁସ୍ତକ ପାଇଁ ଖ୍ୟାତିଅର୍ଜନ କରିଥିବା ଏହି ସାହିତି୍ୟକଙ୍କ କାଳଜୟୀ ରଚନା ମଧ୍ୟରେ ରହିଛି ‘ରଜନୀଗନ୍ଧା’, ‘ସକାଳର ମାନଚିତ୍ର’, ‘ସଂବହନ’, ‘ଶରଦଃ ଶତମ୍‌’, ‘ଆଜି ରାତିର ଗଳ୍ପ’, ‘ବହୁବ୍ରୀହି’, ‘ଭାସ୍ବତୀ’ ଆଦି ରହିଛି। ସେହିଭଳି ସାନ୍ତାଳୀ କଥାକାର କାଳିଚରଣ ହେମ୍ବ୍ରମ୍‌ ୧୯୬୦ ମେ’ ୧ରେ ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିଲେ। ୧୯୮୨ରେ ଲେଖାଲେଖି ଆରମ୍ଭ କରିଥିବା କାଳିଚରଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଜଣେ ବରିଷ୍ଠ ଅଧିକାରୀଭାବେ କାର୍ଯ୍ୟ କରିବା ସହ ସାହିତ୍ୟ ରଚନା ଜାରି ରଖିଛନ୍ତି। ସାନ୍ତାଳୀ ଭାଷାରେ ବହୁ ସାହିତ୍ୟ ପତ୍ରିକା ପାଇଁ ଲେଖୁଥିବା ଏହି ସାହିତି୍ୟକଙ୍କ ଭାରତୀୟ କଥାସାହିତ୍ୟ ପ୍ରତି ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି।