କେନ୍ଦ୍ର ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଦୁବାଇରେ ଫସିଥିବା ୧୮ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଅନୁରୋଧ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଦୁବାଇରେ ଫସିଥିବା ୧୮ ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ଲାଗି ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଧର୍ମେନ୍ଦ୍ର ଏକ ଚିଠି ଲେଖି କହିଛନ୍ତି ଯେ, ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ସହ ସମସ୍ତ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରି ସ୍ବଦେଶକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ। ନିକଟରେ ଦୁବାଇରୁ ୧୦ ଜଣ ଓଡ଼ିଆ ଶ୍ରମିକ ସୁରକ୍ଷିତଭାବେ ଉଦ୍ଧାର ହେବା ପରେ ପୁଣିଥରେ ଦୁବାଇର ଏକ୍ସିମ୍‌ ନାମକ ଏକ କମ୍ପାନୀରେ କାମ କରୁଥିବା ଓଡ଼ିଶା ଗଞ୍ଜାମ ଜିଲାର ୧୮ ଓଡିଆ ଶ୍ରମିକ ଗତ ୪ ମାସ ହେବ ବିନା ଦରମା ଓ ଖାଦ୍ୟପେୟରେ ସେଠାରେ ଫସି ରହିଛନ୍ତି। ଫସିରହିଥିବା ଶ୍ରମିକମାନେ ସେମାନଙ୍କ ଉଦ୍ଧାର ଲାଗି ଏକ ଭିଡିଓ ମାଧ୍ୟମରେ ଆବେଦନ ମଧ୍ୟ କରିଥିବା ସୂଚନା ମିଳିଛି ା ତେଣୁ ଏହି ମାମଲାରେ ଶ୍ରମିକଙ୍କୁ ତତ୍କାଳ ସହାୟତା ଦିଆଯିବା ସହ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଆଣିବା ଲାଗି ପଦକ୍ଷେପ ନେବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ା ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସୌଦି ଆରବରେ ଫସିରହିଥିବା ସମସ୍ତ ୧୦ ଓଡ଼ିଆ ଶ୍ରମିକ ଗତ ଜୁନ ୨୬ରେ ଉଦ୍ଧାର ହୋଇ ସ୍ବଦେଶ ଫେରିଥିଲେ ା