କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭାଜପା ଏମ୍‌ପିମାନଙ୍କ ଅନୁରୋଧ: ଶ୍ରୀମନ୍ଦିର, ସୂର୍ଯ୍ୟମନ୍ଦିରକୁ ଆଦର୍ଶ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଅ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : କଳା, ସଂସ୍କୃତି ଓ ପର୍ଯ୍ୟଟନର ଭୂମି ଓଡ଼ିଶା। ଐତିହ୍ୟ ଓ କାରୁକାର୍ଯ୍ୟରେ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କ ସୂର୍ଯ୍ୟମନ୍ଦିର ଏବଂ ଜଗନ୍ନାଥ ଧାମ୍‌ ପୁରୀର ଶ୍ରୀମନ୍ଦିର ହେଉଛି ବିଶ୍ୱ ଦରବାରରେ ଓଡ଼ିଶାର ପରିଚୟ। ଏହି ଦୁଇ ଆଧ୍ୟାତ୍ମିକ କ୍ଷେତ୍ର ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳଭାବେ ପରିଗଣିତ ହେଉଛି। ତେଣୁ କେନ୍ଦ୍ର ସରକାର ଉଭୟ ପୁରୀ ଓ କୋଣାର୍କକୁ ଭାରତର ଆଦର୍ଶ ପର୍ଯ୍ୟଟକସ୍ଥଳୀର ମାନ୍ୟତା ଦେବାକୁ ଓଡିଶାର ଭାଜପା ଏମ୍‌ପିମାନେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏମ୍‌ପିମାନେ ଦେଇଥିବା ଚିଠିରେ ଦର୍ଶାଇଛନ୍ତି, ହିନ୍ଦୁମାନଙ୍କ ପବିତ୍ର ଚାରିଧାମ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ। ଏଠାରେ ପ୍ରତ୍ୟେକ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହୋଇଥାଏ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଗସ୍ତ କରିଥିଲେ। ମଧ୍ୟକାଳୀନ ଶିଳ୍ପକଳା ଓ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟମନ୍ଦିରକୁ ୧୩ଶ ଖ୍ରୀଷ୍ଟାବ୍ଦରେ କଳିଙ୍ଗ ରାଜା ନରସିଂହ ଦେବ ନିର୍ମାଣ କରିଥିଲେ। ନିକଟରେ କେନ୍ଦ୍ର ସରକାର ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିଛନ୍ତି। ମାତ୍ର ଶ୍ରୀମନ୍ଦିର ଏବଂ ସୂର୍ଯ୍ୟମନ୍ଦିରକୁ ଏଥିରେ ସ୍ଥାନ ମିଳିନାହିଁ। ଓଡ଼ିଶାରୁ ଲୋକ ସଭା ଓ ରାଜ୍ୟ ସଭାକୁ ନିର୍ବାଚିତ ସମସ୍ତ ଭାଜପା ଏମ୍‌ପି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଦ୍ୱାରା ଅନୁରୋଧ କରିଛନ୍ତି। କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ଓ ସୂର୍ଯ୍ୟମନ୍ଦିରକୁ ଭାରତର ଆଦର୍ଶ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ।