କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅମରଙ୍କ ଚିଠି : ଡିଏମ୍‌ଏଫ୍‌ଟି ଜିଏସ୍‌ଟି ଛାଡ଼ କରାଯାଉ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ଆଦିବାସୀବହୁଳ ଖଣିଜ ସମ୍ପଦ ଜିଲାଗୁଡିକର ବିକାଶ ପାଇଁ ରାଜ୍ୟ ସରକାର ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେଶନ ଟ୍ରଷ୍ଟ(ଡିଏମ୍‌ଏଫ୍‌ଟି) ଗଠନ କରିଛନ୍ତି। ଏହି ଟ୍ରଷ୍ଟ ଉପରୁ ଆୟକର, ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଛାଡ କରିବାକୁ ବିଜେଡି ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଡିଏମ୍‌ଏଫ୍‌ଟି ଏକ ବିନା ଲାଭଦାୟକ ସଂସ୍ଥା। ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅନ୍ତର୍ଗତ ଡିଏମ୍‌ଏଫ୍‌ଟି ୨୦୧୫ ଜୁଲାଇ ୧୬ ତାରିଖରେ ଗଠନ କରାଯାଇଥିଲା। ରାଜ୍ୟ ସରକାର ଉକ୍ତ ଯୋଜନା ଅନୁଯାୟୀ ୨୦୧୫ ଅଗଷ୍ଟ ୧୮ ତାରିଖରେ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ରୁଲ-୨୦୧୫ ପ୍ରସ୍ତୁତ କରିଥିଲେ। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, ଅନୁଗୋଳ, ରାୟଗଡା ଏବଂ କଳାହାଣ୍ଡି ଜିଲାଗୁଡିକରେ ଏହି ଟ୍ରଷ୍ଟ କାର୍ଯ୍ୟ କରୁଛି। ଏହି ଟ୍ରଷ୍ଟ ଅଧୀନରେ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ (ଡିଏମ୍‌ଫ) କାର୍ଯ୍ୟକାରୀ ହେଉଛି। ଜିଲାପାଳମାନେ ଏହାର ଦାୟିତ୍ୱରେ ଅଛନ୍ତି। ଆଦିବାସୀ ବହୁଳ ଖଣିଜ ଅଞ୍ଚଳର ବିକାଶ କାର୍ଯ୍ୟ ପାଇଁ ଡିଏମ୍‌ଏଫ୍‌ରୁ ଅର୍ଥ ଖର୍ଚ୍ଚ କରାଯାଉଛି। ଡିଏମଏଫଟି/ଡିଏମଏଫଗୁଡିକରୁ ଜିଏସଟି ଏବଂ ଆୟକର ମୁକ୍ତ କରିବାକୁ ଅର୍ଥ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା ଲାଗି ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।