Categories: ଗଞ୍ଜାମ

କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗ : ଏଡିଏମ୍‌ଙ୍କୁ ଭେଟିଲେ ଛତ୍ରପୁରର ବୁଦ୍ଧିଜୀବୀ

ଛତ୍ରପୁର,୨୧ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ଅବଗତ କରିବାକୁ ଶନିବାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏନେଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ବୁଦ୍ଧିଜୀବୀଙ୍କର ଏକ ପ୍ରତିନିଧିଦଳ ଦେଇଛନ୍ତିି। ଅନସ୍ଲୋ ହାଇସ୍କୁଲର ଏକ କୋଠାକୁ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟକୁ  ଦେବା ନେଇ ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇସାରିଛି। ଜମି  ଓ ଅସ୍ଥାୟୀ ଭାବେ ଖୋଲିବାକୁ ଥିବା କୋଠା ହସ୍ତାନ୍ତର କରିବାକୁ ବୁଦ୍ଧିଜୀବୀମାନେ ଅନୁରୋଧ କରିଥିଲେ। ଏହି ପ୍ରତିନିଧି ଦଳରେ ଓକିଲ ପ୍ରଦୀପ ପାଢୀ, କୃଷ୍ଣ ଚନ୍ଦ୍ର ସାହୁ, ପି. ଧର୍ମା ରେଡ୍ଡୀ, ବ୍ରଜମୋହନ ଆଚାର୍ଯ୍ୟ, ସନ୍ତୋଷ କୁମାର ସାହୁ, ଏମ୍‌. ମୋହନ ରେଡ୍ଡୀ, ବି. ସୁଧୀର, ଏସ୍‌. ବିଜୟ, ସୁରେଶ ସେନାପତି, ଶିବ ସାହୁ, ପଦ୍ମ ଚରଣ ସାହୁ ଓ ବାଦଲ ବେହେରା ପ୍ରମୁଖ ଅତିରିକ୍ତ ଜିଲାପାଳଙ୍କୁ ଭେଟିଥିଲେ। ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ  କେନ୍ଦ୍ର କ୍ୟାବିନେଟ୍‌ ମାର୍ଚ୍ଚ ୮ ତାରିଖରେ ଅନୁମୋଦନ ଦେଇଥିଲା। ଏହାପରେ ଉକ୍ତ ବିଦ୍ୟାଳୟ ପାଇଁ ଅସ୍ଥାୟୀ କୋଠା, ଆବଶ୍ୟକ ଜମି ଆଦି ହସ୍ତାନ୍ତର କରିବାକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଏ ସମ୍ପର୍କରେ ଜିଲାପାଳଙ୍କୁ ଏକ ଚିଠି ଆସିଥିଲା। ନିର୍ବାଚନ ସରିବା ପରେ ଏହା ଉପରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏଥିସହ ଜମି ଓ ଅସ୍ଥାୟୀ କୋଠା ହସ୍ତାନ୍ତର କରିବା ପାଇଁ  ଜିଲାପାଳଙ୍କୁ ଅବଗତ କରିବାକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ସହକାରୀ କମିଶନର ଜି. ବାନାର୍ଜୀଙ୍କ ପକ୍ଷରୁ ଆଉ ଏକ ଚିଠି ଭାଜପା ନଗର ସଭାପତିି ପ୍ରଦୀପ ପାଢୀଙ୍କ ନିକଟକୁ ଆସିଥିଲା। ଏ ସମ୍ପର୍କରେ ସେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ନିର୍ବାଚନ ପରେ ଏହି କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ଜିଲାପାଳ ସେତେବେଳେ କହିଥିବା ପାଢୀ ସୂଚନା ଦେଇଥିଲେ।