କେନ୍ଦ୍ରରୁ ପ୍ରଶଂସା ସାଉଣ୍ଟିଲା ଖପୁରିଆ ଆଇଟିଆଇ

କଟକ ଅଫିସ,୨୩ା୫: କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ନିଜ ଜ୍ଞାନ କୌଶଳ ଦ୍ୱାରା ଅଟୋମେଟିକ୍‌ ସାନିଟାଇଜ ମେଶିନ, ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ଓ ଦୁଇଟି ରୋବୋଟ ପ୍ରସ୍ତୁତ କରି ପ୍ରଶଂସା ସାଉଣ୍ଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏହାର ପ୍ରଶଂସା କରିଥିବା ବେଳେ ଗୁରୁବାର କେନ୍ଦ୍ର ସରକାର ମଧ୍ୟ ଅନୁଷ୍ଠାନର ଉଦ୍ୟମକୁ ସାବାସି ଦେଇଛନ୍ତି। କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ୍‌ରେ ଖପୁରିଆ ଆଇଟିଆଇ ପ୍ରସ୍ତୁତ କରିଥିବା କରୋନା ନମୁନା ସଂଗ୍ରହ ମେଶିନ ସ୍ଥାନ ପାଇଛି।
କିଛି ଦିନ ତଳେ ଏହି ଆଇଟିଆଇ ତିଆରି କରିଥିବା ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ଦ୍ୱାରା କମ୍‌ ସମୟରେ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରିହେବ। କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରଣାଳୟ ୱେବସାଇଟ୍‌ରେ ଉଲ୍ଲେଖ କରାଯାଇଛି ଯେ, ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ତିଆରି କରି କଟକ ଆଇଟିଆଇ ଟିମ୍‌ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଏହାଦ୍ୱାରା ସ୍ବାସ୍ଥ୍ୟକର୍ମୀମାନେ ରୋଗୀଙ୍କ ସଂସ୍ପର୍ଶରେ ନ ଆସି ନମୁନା ପରୀକ୍ଷା କରିପାରିବେ। ଏନେଇ ଆଇଟିଆଇ ଅଧ୍ୟକ୍ଷ ଡ. ହୃଷିକେଶ ମହାନ୍ତି କହିଛନ୍ତି, ଏହି ମେଶିନକୁ ସ୍କିଲ୍‌ ଇଣ୍ଡିଆ ଓ ସ୍କିଲ୍‌ ଓଡ଼ିଶାରେ ସ୍ଥାନ ମିଳିବା ଆମକୁ ଅଧିକ ଉତ୍ସାହିତ କରିଛି। ଲୋକଙ୍କ ସୁରକ୍ଷା ଲାଗି ନୂତନ ଉଦ୍ଭାବନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ।