Categories: ଗଞ୍ଜାମ

କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗ ଘଟଣା: ନିଲମ୍ବିତ ହେଲେ ରେଞ୍ଜ ଅଧିକାରୀ

ଫୁଲବାଣୀ ଅଫିସ, ୩୧ା୫- କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନରେ କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡପ ଘଟଣାରେ ରେଞ୍ଜ ଅଧିକାରୀ ଉମେଶ ଦିଗାଲ ନିଲମ୍ବିତ ହୋଇଛନ୍ତି। ଅଭିଯୋଗର ତଦନ୍ତ କରିବା ପରେ ପିସିଏଫ ହରି ଶଙ୍କର ଉପାଧ୍ୟାୟ ଏହି ପଦକ୍ଷେପ ନେଇଥିବା ଫୁଲବାଣୀ ଡିଏଫଓ(କେନ୍ଦୁପତ୍ର) ହେମନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ୨୦୧୮ ଜୁନ ୪ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ବାଲିଗୁଡା ବନ ବିଭାଗର ୮ଟି କେନ୍ଦୁପତ୍ର ଫଡିରେ ଶ୍ରମିକମାନେ ପତ୍ର ବନ୍ଧେଇ କରିଥିଲେ। ସେତେବେଳେ କେବଳ ମଧ୍ୟାହ୍ନରେ ଭାତ ଖାଇବା ପାଇଁ କିଛି ଟଙ୍କା ପ୍ରଦାନ କରାଯାଇଥିଲା। ଫଡ଼ିବନ୍ଧା ଶେଷରେ ହିସାବ କରି ଖାଦ୍ୟ ଟଙ୍କା କାଟି ବଳକା ଟଙ୍କା ଦେବା ନିମନ୍ତେ ଚୁକ୍ତି ମଧ୍ୟ ହୋଇଥିଲା। ଶ୍ରମିକମାନେ ଟଙ୍କା ପାଇଁ ରେଞ୍ଜର ଏବଂ ଫରେଷ୍ଟରଙ୍କୁ କହିଥିଲେ। ହେଲେ ପ୍ରାପ୍ୟ ମିଳି ନ ଥିଲା। ସେମାନେ ବାରମ୍ବାର ଦୌଡାଉଥିଲେ। ଫଡ଼ି ସଂଘ ତରଫରୁ ଲିଖିତ ଅବଗତ କରାଗଲା ପରେ ବି କାମର ହିସାବ ଦିଆ ଯାଇ ନ ଥିଲା କି ମଜୁରି ମିଳି ନ ଥିଲା। ଶ୍ରମିକମାନେ ଏକାଠି ହୋଇ ଫରେଷ୍ଟରଙ୍କୁ ଟଙ୍କା ମାଗିବାରୁ ସେ ଗତ ଏପ୍ରିଲ ସୁଦ୍ଧା ସମୁଦାୟ ଟଙ୍କା ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତଥାପି ଟଙ୍କା ମିଳି ନ ଥିଲା। ବାଲିଗୁଡ଼ା ରେଞ୍ଜ ଅଧିକାରୀ ଉମେଶ ଦିଗାଲଙ୍କ କହିବା ଅନୁସାରେ ପୂର୍ବତନ ଫରେଷ୍ଟର ଶ୍ରମିକଙ୍କ ୩ ଲକ୍ଷ ଟଙ୍କା ହଡ଼ପ କରି ଏଠାରୁ ପଳାଇ ଯାଇଥିଲେ। ହେଲେ ଶ୍ରମିକଙ୍କ ଟଙ୍କା ଦିଆ ନ ଯିବା ସମ୍ପର୍କରେ ଖୋଳତାଡ କରିବା ପରେ ରେଞ୍ଜ ଅଧିକାରୀ ଉମେଶ ଦିଗାଲ ସାମିଲ ଥିବା ଡିିଏଫଓ (କେନ୍ଦୁପତ୍ର) ହେମନ୍ତ କୁମାର ସାହୁ ସୂଚନା ଦେଇଥିଲେ। ଶ୍ରମିକମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୦ ଦିନ ମଧ୍ୟରେ କ୍ଷତି ପୂରଣ ନ ମିଳିଲେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।