Categories: ଗଞ୍ଜାମ

କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗ

ଫୁଲବାଣୀ ଅଫିସ, ୨୦ା୫-କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନରେ କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦୁପତ୍ର ଫଡିରେ କାମ କରିଥିବା ଶ୍ରମିକ। ତୁରନ୍ତ ଟଙ୍କା ପ୍ରଦାନ ବ୍ୟବସ୍ଥା କରିବାକୁ ସେମାନେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କ ପାଖରେ ମଧ୍ୟ ଏହି ଅଭିଯୋଗ କରାଯାଇଛି। ୧୦ ଦିନ ଭିତରେ ମଜୁରି ନ ମିଳିଲେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି। ୨୦୧୮ରେ ଜୁନ ୪ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ବାଲିଗୁଡା ବନ ବିଭାଗର ୮ ଟି କେନ୍ଦୁପତ୍ର ଫଡିରେ ଶ୍ରମିକମାନେ ପତ୍ର ବନ୍ଧେଇ କରିଥିଲେ। ସେତବେଳେ କେବଳ ମଧ୍ୟାହ୍ନଭୋଜନ ପାଇଁ କିଛି ଟଙ୍କା ପ୍ରଦାନ କରାଯାଇଥିଲା। ଫଡ଼ି ବନ୍ଧା ଶେଷରେ ହିସାବ କରି ଖାଇବା ଟଙ୍କା କାଟି ବଳକା ଟଙ୍କା ଦେବା ନିମନ୍ତେ ଚୁକ୍ତି ମଧ୍ୟ ହୋଇଥିଲା। ଶ୍ରମିକମାନେ ଟଙ୍କା ପାଇଁ ରେଞ୍ଜର ଏବଂ ଫରେଷ୍ଟରଙ୍କୁ କହିଥିଲେ। ହେଲେ ଟଙ୍କା ମିଳି ନ ଥିଲା। ବାରମ୍ବାର ଦୌଡିବାକୁ ପଡ଼ିଥିଲା। ଫଡ଼ି ସଂଘ ତରଫରୁ ଲିଖିତ ଭାବେ ଜଣାଗଲା ପରେ ବି କାମର ହିସାବ କି ମଜୁରି ମିଳିଲା ନାହିଁ। ଶ୍ରମିକମାନେ ଏକାଠି ହୋଇ ଫରେଷ୍ଟରଙ୍କୁ ଟଙ୍କା ମାଗିବାରୁ ସେ ଗତ ଏପ୍ରିଲ ସୁଦ୍ଧା ସମୁଦାୟ ଟଙ୍କା ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତଥାପି ଆଜି ପର୍ଯ୍ୟନ୍ତ ମଜୁରି ଟଙ୍କା ମିଳିନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ବାଲିଗୁଡ଼ା ରେଞ୍ଜ ଅଧିକାରୀ ଉମେଶ ଦିଗାଲଙ୍କ କହିବା ଅନୁସାରେ ପୂର୍ବତନ ଫରେଷ୍ଟର ଶ୍ରମିକଙ୍କ ୩ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ଅପରପକ୍ଷେ ଘଟଣା ସମ୍ପର୍କରେ ଗତ ଏପ୍ରିିଲରେ ଜାଣିବାକୁ ମିଳିଛି। ଶ୍ରମିଙ୍କ ଟଙ୍କା ଦିଆ ନ ଯିବା ସମ୍ପର୍କରେ ଖୋଳତାଡ ପରେ ଏହା ପଛରେ ରେଞ୍ଜ ଅଧିକାରୀ ଉମେଶ ଦିଗାଲ ସାମିଲ ଥିବା ଜଣାପଡ଼ିଛି। ତୁରନ୍ତ ଶ୍ରମିକଙ୍କ ଟଙ୍କା ଫେରାଇବାକୁ ତାଙ୍କୁ ତାଗିଦ୍‌ କରାଯାଇଛି।
ନଚେତ୍‌ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିିଏଫଓ (କେନ୍ଦୁପତ୍ର) ହେମନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।