କେନ୍ଦୁପତ୍ର ବୋନସ ଘୋଷଣାକୁ ଲଲିପପ୍‌ କହିଲା ଭାଜପା

ଭୁବନେଶ୍ୱର,୧୩ା୧(ବ୍ୟୁରୋ): କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କୁ ରାଜ୍ୟ ସରକାର ଏକ ‘ଲଲିପପ୍‌’ ଧରାଇ ଦେଇଥିବା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି। ସରକାରଙ୍କ ବୋନସ ଘୋଷଣାକୁ ନେଇ ପ୍ରଦୀପ କହିଛନ୍ତି, କେନ୍ଦୁପତ୍ର ତୋଳାଳି, ଗଛ କଟାଳି, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ରାଜ୍ୟ ସରକାର ଚଳିତବର୍ଷ କେନ୍ଦୁପତ୍ର ସଂସ୍ଥାରୁ ୪୦୦ କୋଟି ଲାଭ ପାଇଛନ୍ତି। ବର୍ତ୍ତମାନ ଗଚ୍ଛିତ ଥିବା ପତ୍ର ବିକ୍ରି ହେଲେ ଆଉ ୧୫୦ କୋଟି ଟଙ୍କା ସରକାର ଲାଭ ପାଇବାକୁ ଯାଉଛନ୍ତି। ପେସା ଆଇନ ଲାଗୁ ହେବାପରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀ ପରିବାରଙ୍କ ସମ୍ପୂର୍ଣ୍ଣ ଅଧିକାର ଥିବା ସତ୍ତ୍ୱେ ସରକାର ଲାଭାଂଶର ଶତପ୍ରତିଶତ ବୋନସ ଦେବା କଥା। ହେଲେ ଏହା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତୋଳାଳି ଓ ଶ୍ରମିକଙ୍କୁ ମାତ୍ର ୯୨.୩୭ କୋଟି ଟଙ୍କା ବୋନସ ଦେବା ଲାଗି ଘୋଷଣା କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଦେଶର କେନ୍ଦୁପତ୍ର ଉପତ୍ାଦନ ହେଉଥିବା ଅନ୍ୟ ରାଜ୍ୟର ସରକାର ଲାଭାଂଶରୁ ଶତପ୍ରତିଶତ ବୋନସ ଦେଉଛନ୍ତି। ହେଲେ ରାଜ୍ୟ ସରକାର କେନ୍ଦୁପତ୍ର ଲାଭାଂଶର ଅର୍ଥକୁ ନିଜ ରାଜକୋଷରେ ରଖି ଅନ୍ୟ ଦିଗରେ ଖର୍ଚ୍ଚ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି ।