କେନ୍ଦୁପତ୍ର ତୋଳାଳିଙ୍କ ପ୍ରାପ୍ୟ ଦେଉନାହାନ୍ତି କ୍ରୟକାରୀ ସଂସ୍ଥା: ଲାଇସେନ୍ସ ରଦ୍ଦ ପାଇଁ ଡିଏଫ୍‌ଓଙ୍କ ଚିଠି

ଜୟପୁର,୨୪।୪(ଡି.ଏନ୍‌.ଏ.) – ମାଲକାନଗିରି ଓ କୋରାପୁଟ ଜିଲାରେ ୨୦୧୮ରେ ତୋଳାଳିଙ୍କଠାରୁ କେନ୍ଦୁପତ୍ର କିଣିଛନ୍ତି ଘୋରଇ ସଂସ୍ଥା। କିନ୍ତୁ କିଛି ସଂସ୍ଥା ତୋଳାଳିଙ୍କୁ ପ୍ରାପ୍ୟ ଦେଇନାହାନ୍ତି। କେତେକ ଗ୍ରାମର କେନ୍ଦୁପତ୍ର ତୋଳାଳି ଏ ନେଇ ଡିଏଫ୍‌ଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାପରେ ଡିଏଫ୍‌ଓ ଲାଇସେନ୍ସ ଦେଉଥିବା ଡିପିଓମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, ପ୍ରାପ୍ୟ ଦେଇ ନଥିବା ଉକ୍ତ ସଂସ୍ଥାଗୁଡ଼ିକର ଲାଇସେନ୍ସ ଖାରଜ କର। ୨୦୧୯ରେ ଗ୍ରାମବାସୀଙ୍କୁ ଠକିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କେନ୍ଦୁପତ୍ର କିଣିବା ପାଇଁ କରିଥିବା ଲାଇସେନ୍ସ ଆବେଦନ ଖାରଜ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କୋରାପୁଟ ଓ ମାଲକାନଗିରି ଜିଲାର ତୋଳାଳିଙ୍କଠାରୁ କେନ୍ଦୁପତ୍ର ସରକାରଙ୍କ ସମେତ ଅନ୍ୟ ଘରୋଇ ସଂସ୍ଥା କିଣିଥାନ୍ତି। ସରକାରୀ ଧାର୍ଯ୍ୟ ଦର ହେଉଛି ବିଡା ପିଛା (୪୦ଟି ପତ୍ର) ୨ ଟଙ୍କା। କିଣାଯିବା ପରେ ପ୍ରାପ୍ୟ ସେମାନଙ୍କ ବ୍ୟାଙ୍କଖାତାରେ ଜମା ହୋଇଥାଏ ା କିନ୍ତୁ କିଛି ଘରୋଇ ସଂସ୍ଥା ବିଡ଼ା ପିଛା ୩ରୁ ୩ଟଙ୍କା ୫୦ ପଇସାର ଲାଳସା ଦେଖାଇ ପତ୍ର କିଣୁଛନ୍ତି। ଅଧିକ ଟଙ୍କା ଓ ତୁରନ୍ତ ପ୍ରାପ୍ୟ ମିଳିବା ଆଶାରେ ତୋଳାଳିମାନେ ଘରୋଇ କ୍ରୟକାରୀ ସଂସ୍ଥା ପ୍ରତି ଆକୃଷ୍ଟ ହେଉଛନ୍ତି। କିନ୍ତୁ ସେହି ସଂସ୍ଥା ଏବେ ପ୍ରାପ୍ୟ ନ ଦେଇ ପତ୍ର ଧରି ଚମ୍ପଟ ମାରିଛନ୍ତି। ବିଭାଗର କିଛି ଅବସରପ୍ରାପ୍ତ କର୍ମଚାରୀ ଟଙ୍କା ଲୋଭରେ ଏଭଳି ଘରୋଇ ସଂସ୍ଥାଙ୍କୁ ସହଯୋଗ କରୁଛନ୍ତି ା ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। କେନ୍ଦୁପତ୍ର ବିଭାଗର ଡିଏଫ୍‌ଓ ଓ୍ବାଇ.ଜେଡ୍‌. ଖାନ କହିଛନ୍ତି, ମାଲକାନଗିରି ଜିଲାରୁ ଏହିପରି ଅଧିକ ଅଭିଯୋଗ ରହିଛି ା ଏନେଇ ଡିପିଓମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।