କେନ୍ଦୁଝର ଜିଲାରେ ୮ କରୋନା ରୋଗୀ ଚିହ୍ନଟ, ସ୍ବାସ୍ଥ୍ୟ ବିଭାଗ ତତ୍ପର

କେନ୍ଦୁଝର,୨୬।୫ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲା ମୁଖ୍ୟାଳୟରେ ପ୍ରଥମ ରୋଗୀ ଚିହ୍ନଟ ହୋଇଛି। ସ୍ଥାନୀୟ ନିହାଲ ସିଂ ଛକ ନିକଟ କିମିରିଡୋଲି ସାହିରେ ରହୁଥିବା ଜଣେ ସ୍ବାସ୍ଥ୍ୟ ବିଭାଗ ଗାଡି ଚାଳକଙ୍କ କରୋନା ହୋଇଥିବା ଜଣାପଡିବା ପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି। କିମିରିଡୋଲି ସାହିର ସମସ୍ତ ଯାତାୟତ ପଥକୁ ସିଲ୍‌ କରିଦିଆଯାଇଛି। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ଗ୍ରହଣ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ଟିମ ଉକ୍ତ ରୋଗୀଙ୍କ ସହ ଆଲୋଚନା କରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି। ସେ ଆମ୍ବୁଲାନ୍ସ ଚାଳକ ଥିବା ବେଳେ ଘରେ ରହୁଥିଲେ ଓ ବୁଲାବୁଲି କରୁଥିଲେ। ଏଣୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଅନୁମାନ କରାଯାଉଛି। ସେହିପରି ବିହାରରୁ ଫେରି ବଂଶପାଳ ବ୍ଲକ ଶୁଆକାଟିସ୍ଥିତ ଏକ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବାପା ଓ ଝିଅ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେହିପରି ପାଟଣା ବ୍ଲକ ଚେମଣାରେ ଜଣେ, ଘଷିପୁରା ବ୍ଲକ ଖାଲପାଳ, ଆନନ୍ଦପୁର ବ୍ଲକ ଧକୋଠା, ହରିଚନ୍ଦନପୁର ବ୍ଲକ ଜିରାଙ୍ଗ, ହାତଡ଼ିହି ବ୍ଲକ ଆଇତିପୁର ଗ୍ରାମରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ଘଷିପୁରା ବ୍ଲକର ରୋଗୀ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବୋଲି ଜଣାପଡିଛି। ତନ୍ମଧ୍ୟରୁ ଦୁଇ ଜଣ ବାହାରେ ଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସେମାନେ କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ଯାଞ୍ଚ ଚାଲିଛି। ସେଥିରୁ ଦୁଇ ଜଣ ଗୁଜୁରାଟ ଫେରନ୍ତା, ଦୁଇ ଜଣ ବିହାର ଫେରନ୍ତା, ଜଣେ ତାମିଲନାଡୁ, ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି। ଅନ୍ୟ ଦୁଇ ଜଣ ସ୍ଥାନୀୟ ଯୋଗାଯୋଗରେ ବ୍ୟାପିଥିବା ସୂଚନା ମିଳିଛି।