କେନ୍ଦୁଝର ଜିଲାରେ ୪ କରୋନା ପଜିଟିଭ ଚିହ୍ନଟ: ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା

ବଡବିଲ,୧୭।୫(ସ୍ବ.ପ୍ର)-କେନ୍ଦୁଝର ଜିଲାରେ ରବିବାର ଆଉ ୪ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବଡ଼ବିଲ ପୌରାଞ୍ଚଳ ୮ ନମ୍ବର ୱାର୍ଡର ୨୬ ବର୍ଷୀୟ ଯୁବକ ବୋଲି ସୂଚନା ମିଳିଛି।
ଚିହ୍ନଟ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ ସ୍ଥିତ ଅଶ୍ବିନୀ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତେବେ ବଡବିଲରେ ପ୍ରଥମ କରି କରୋନା ପଜିଟିଭ ଚିହ୍ନଟ ହୋଇଛି।
ଗତ ୧୪ ତାରିଖରେ ଏହି ୩ ଜଣଙ୍କ ସମେତ ମୋଟ ୪୦ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ସ୍ବାବ ପରୀକ୍ଷା ରିପୋର୍ଟ ଆସିଥିଲା । ସେଥିରେ ଜଣଙ୍କର ପଜିଟିଭ ରିପୋର୍ଟ ଆସିଥିବା ଜଣାପଡିଥିଲା । ଗତ ୯ ତାରିଖରେ ସମ୍ପୃକ୍ତ କରୋନା ଆକ୍ରାନ୍ତ ଅନ୍ୟ ୨ ଜଣଙ୍କ ସହ କୋଲକାତାରୁ ଏକ କାର ଭଡ଼ା କରି ବଡ଼ବିଲରେ ପହଞ୍ଚିଥିଲେ। ସୂଚନାପାଇ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ୧୩ ନମ୍ବର ୱାର୍ଡ, ମାଟକାମବେଡ଼ା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଥିବା କ୍ବାରାଣ୍ଟାଇନ ସେଣ୍ଟରରେ ରଖିଥିଲେ। କାରୋନା ଆକ୍ରାନ୍ତ ଚିହ୍ନଟ ପରେ ସ୍ଥାନୀୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। ସେହିପରି ଆକ୍ରାନ୍ତ ଯୁବକଙ୍କ ସହ ଆସିଥିବା ଅନ୍ୟ ୨ ଜଣଙ୍କ ସ୍ବାବ ପୁଣି ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ମାଟକାମବେଡ଼ା ସରକାରୀ ଉଚ୍ଚବିଦ୍ୟାଳୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।