କେନ୍ଦୁଝରରେ ଝଡପବନ ସହ କୁଆପଥର ବର୍ଷା, ଲୋକେ ଆଶ୍ୱସ୍ତ

କେନ୍ଦୁଝର, ୨୮ା୫ (ସ୍ବ.ପ୍ର./ଡି.ଏନ.ଏ.)-ଗତ କିଛି ଦିନ ହେଲା କେନ୍ଦୁଝରର ପାରଦ ଆକାଶଛୁଆଁ ହେଉଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଏଭଳି ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ କୁଆପଥର ବର୍ଷା କେନ୍ଦୁଝର ବାସୀଙ୍କୁ କିଛିଟା ଆଶ୍ୱସ୍ତି କରିଛି। ଦିନବେଳା ତାପମାତ୍ରା ୪୦.୦ ଡିଗ୍ରୀ ସେଲସିୟସ ରହିଥିଲା। ଅପରାହ୍ନରେ କାଳବୈଶାଖୀ ପବନରେ ପୁରୁଣାବଜାର ଶିବନାରାୟଣପୁରସାହି ଆହ୍ଲାଦିନ ଦାଶଙ୍କ ଘର ଉପରେ ଗଛ ଉପୁଡି ପଡିବାରୁ ପାଖରେ ଥିବା ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯିବା ସହ ତାର ଛିଣ୍ଡି ଯାଇଥିଲା। ଫଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା। ସେହିପରି ପୁରୁଣାବଜାର ସମେତ ବିଭିନ୍ନ ଅଞ୍ଚଳରେ କୂଆପଥର ମାଡ ହୋଇଥିବା ଜଣାପଡିଛି। ବର୍ଷା ଯୋଗୁଁ ପରିବେଶ ଟିକେ ଥଣ୍ଡା ପଡିଯାଇଥିବା ବେଳେ ଲୋକ, ଗଛଲତା ତଥା ପଶୁପକ୍ଷୀ ଗରମରୁ ସାମାନ୍ୟ ରକ୍ଷା ପାଇଯାଇଛନ୍ତି। ଚଳିତବର୍ଷ ଏଭଳି ଗରମ ସହିତ ଗୁଳୁଗୁଳି ଆଗରୁ କେବେ ଦେଖିବାକୁ ମିଳି ନ ଥିଲା। ଗରମ ସହିତ ବିଦ୍ୟୁତ କାଟ ପରିସ୍ଥିତିକୁ ଅଧିକ ଜଟିଳ କରିଦେଉଛି ା ଲୋକ ମାନେ କାମ ନ ଥିଲେ ଘରୁ ବାହାରୁ ନାହାନ୍ତି। କେବଳ ଦିନ ମଜୁରୀଆ, ଛୋଟ ଛୋଟ ବେପାରିମାନେ ପେଟପାଟଣା ପାଇଁ କାମ କରିବାକୁ ବାଧ୍ୟ ହେଉଛନ୍ତି। ସକାଳ ୯ ଟା ୧୦ ପରେ ସବୁଆଡେ ଖାଁ ଖାଁ ହୋଇଯାଉଛି ା