କେନ୍ଦୁଝରରୁ ଉଦ୍ଧାର କଲା ପୋଲିସ: ବାଳସୁଧାର ଗୃହକୁ ନେବା ବେଳେ ନାବାଳକ ଫେରାର

କେନ୍ଦୁଝର/ରାଉରକେଲା ଅଫିସ,୧୩।୧୨(ସ୍ବ.ପ୍ର.):କେନ୍ଦୁଝରରୁ ରାଉରକେଲାସ୍ଥିତ ଜୁଭେନାଇଲ ହୋମକୁ ପଠାଯାଉଥିବା ୯ନାବାଳକଙ୍କ ମଧ୍ୟରୁ ଜଣେ ବସ୍‌ରୁ ଅଧାରାସ୍ତାରେ ଫେରାର ହୋଇଯାଇଥିଲେ। କୋହଳ ସୁରକ୍ଷା ବ୍ୟବସ୍ଥାରେ ସେମାନଙ୍କୁ ନିଆଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ତେବେ ଅପରାହ୍ନରେ ପୋଲିସ ସଂପୃକ୍ତ ନାବାଳକଙ୍କୁ କେନ୍ଦୁଝରରୁ ଉଦ୍ଧାର କରିଛି। ସେମାନଙ୍କୁ ନେଇ ଯାଇଥିବା ବସ୍‌ରେ ସୁରକ୍ଷା ପାଇଁ ୮ ଜଣ ପୋଲିସ ରହିବାର ନିୟମ ଥିଲେ ମଧ୍ୟ ୪ ଜଣ ଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଦାବି କରାଯାଇଛି। ଏନେଇ ରିଜର୍ଭ ପୋଲିସ ଇନ୍ସପେକ୍ଟର ବିମଳ କୁମାର ରାଉତଙ୍କୁ ପଚାରିବାରୁ ସେ ଏ ନେଇ କିଛି କହି ନ ଥିଲେ। କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ଫେରାର ହୋଇଯାଇଥିବା ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଆସନ୍ତା କାଲି ବାଳସୁଧାର ଗୃହକୁ ପଠାଯିବ। ସେ ହରିଚନ୍ଦନପୁର ଥାନା ଅଞ୍ଚଳର ଏକ ମାମଲାରେ ଧରାପଡ଼ିଥିଲେ। ରାଉରକେଲା ଅଞ୍ଚଳରେ ଘଟଣା ଘଟିଥିବାରୁ ସେଠାକାର ଥାନାରେ ରିପୋର୍ଟ ହୋଇଥିଲା ବୋଲି ପୋଲିସ କହିଛି।