Categories: ଖେଳ

କେନିନ- ମୁଗୁରୁଜା ଟାଇଟଲ ମୁକାବିଲା

ମେଲବୋର୍ନ, ୧।୨(ଏଏଫ୍‌ପି)- ଶନିବାର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟାଇଟଲ ପାଇଁ ଏହି ନିର୍ଣ୍ଣାୟକ ମୁକାବିଲାରେ ୧୪ତମ ସିଡ ଆମେରିକାର ସୋଫିଆ କେନିନ୍‌ ଓ ସ୍ପେନ୍‌ର ୩୨ତମ ସିଡ୍‌ ଖେଳାଳି ଗାର୍ବାଇନ୍‌ ମୁଗୁରୁଜା ପରସ୍ପରକୁ ଭେଟିବେ। କେନିନ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ୭-୬, ୭-୬ ସେଟ୍‌ରେ ବିଶ୍ୱର ୧ ନମ୍ବର ମହିଳା ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ବାର୍ଟିଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ପୂର୍ବରୁ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ମୁଗୁରୁଜା ୭-୬, ୭-୫ ସେଟ୍‌ରେ ଚତୁର୍ଥ ସିଡ ରୋମାନିଆର ସାଇମୋନା ହାଲେପ୍‌ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।
୨୧ ବର୍ଷିୟା କେନିନ୍‌ ତାରକା ଖେଳାଳିମାନଙ୍କୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ଫାଇନାଲରେ ପ୍ରବେଶ କରି ସମସ୍ତଙ୍କୁ ଚକିତ କରିଛନ୍ତି। ଶ୍ରେଷ୍ଠ ୧୦ ସିଡେଡ ଖେଳାଳିଙ୍କ ମଧ୍ୟରୁ ୬ ଜଣ ପରାସ୍ତ ହୋଇ ତୃତୀୟ ରାଉଣ୍ଡରେ ହିଁ ବିଦାୟ ନେଇଥିଲେ। ମସ୍କୋ ଜନ୍ମିତ କେନିନ୍‌ ଗୁରୁବାର କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିଥିଲେ। ଫାଇନାଲରେ ପରାସ୍ତ ହେଲେ ମଧ୍ୟ କେନିନ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ନବମ ସ୍ଥାନ ଅଧିକାର କରିବେ। ଏବେ ସେ ୧୫ତମ ସ୍ଥାନରେ ରହିଛନ୍ତି। ଫାଇନାଲରେ ମୁଗୁରୁଜାଙ୍କୁ ହରାଇଲେ ସେ ଟାଇଟଲ ହାସଲ କରି ସପ୍ତମ ସ୍ଥାନ ଅଧିକାର କରିବେ। ୧୨ ମାସ ତଳେ କେନିନ ହୋବାର୍ଟରେ ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଥିଲେ।
ଅନ୍ୟପଟେ ମୁଗୁରୁଜା ଫାଇନାଲରେ ଫେଭରାଇଟ ବିବେଚିତ ହେଉଛନ୍ତି। ଅଭିଜ୍ଞତା ଦୃଷ୍ଟିକୋଣରୁ ସେ କେନିନ୍‌ଙ୍କଠାରୁ ଦୁଇପାଦ ଆଗରେ ରହିବେ। ମୁଗୁରୁଜା ପୂର୍ବରୁ ୨୦୧୬ରେ ଫ୍ରେଞ୍ଚ୍‌ ଓପନ ଓ ୨୦୧୭ରେ ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଛନ୍ତି। ତେବେ ସେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ଫାଇନାଲ ଖେଳିବାକୁ ଯାଉଛନ୍ତି। ଫାଇନାଲରେ ପହଞ୍ଚିବା ପୂର୍ବରୁ ମୁଗୁରୁଜା ଟପ୍‌ ୧୦ ସିଡେଡ ଖେଳାଳିଙ୍କ ମଧ୍ୟରୁ ୩ଜଣକୁ ପରାସ୍ତ କରିଛନ୍ତି। ତେବେ ଫାଇନାଲ ମ୍ୟାଚ୍‌ରେ ସେତେଟା ସହଜ ହେବନାହିଁ ଓ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ କହିଛନ୍ତି।

Share