Categories: ଖେଳ

କେନିଆ ଧାବିକାଙ୍କୁ ୮ବର୍ଷ ବାସନ୍ଦ

ନାଇରୋବି, ୧୮ା୭ (ଏଏଫ୍‌ପି)-କେନିଆର ମାରାଥନ ଧାବିକା ସାଲୋମ୍‌ ବିଓଟ ୮ବର୍ଷ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜୁନ୍‌ରେ ସାଓପଲୋ ଇଣ୍ଟରନ୍ୟାଶନାଲ ମାରାଥନରେ ଭାଗନେବା ସମୟରେ ଏହି ୩୬ ବର୍ଷୀୟା ଧାବିକାଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରୁ ନିଷିଦ୍ଧ ଆନାବୋଲିକ୍‌ ଷ୍ଟେରଏଡ୍‌ର ମାତ୍ରା ଦେଖିବାକୁ ମିଳିଥିଲା। ପୂର୍ବରୁ ୨୦୧୨ରେ ନାଇରୋବି ମାରାଥନ ଜିତିବା ପରେ ବିଓଟ୍‌ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ତାଙ୍କ ସାମ୍ପଲରୁ ସମାନ ନିଷିଦ୍ଧ ଦ୍ରବ୍ୟ ଠାବ କରାଯାଇଥିଲା। ଏଥିପାଇଁ ତାଙ୍କୁ ଦୁଇବର୍ଷ ବାସନ୍ଦ ଦଣ୍ଡ ଭୋଗିବାକୁ ହୋଇଥିଲା। ବିଓଟ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ ହମବର୍ଗ ମାରାଥନରେ କରିଥିଲେ। ତାଙ୍କର ଟାଇମିଂ ୨ଘଣ୍ଟା ୩୦ ମିନିଟ୍‌ ଓ ୪୭ ସେକେଣ୍ଡ ରହିଥିଲା। ଡୋପିଙ୍ଗ ପାଇଁ ଲମ୍ବା ସମୟ ବାସନ୍ଦ ହେବାରେ ବିଓଟ ହେଉଛନ୍ତି କେନିଆର ତୃତୀୟ ଆଥଲେଟ୍‌। ଅନ୍ୟ ଦୁଇଜଣ ହେଲେ ରିଓ ଅଲିମ୍ପିକ ଚାମ୍ପିୟନ ଜେମିମା ସମ୍‌ଗଙ୍ଗ୍‌ ଏବଂ ଲିଲିଆନ୍‌ ମୋରା ମାରିଟା। ସୂଚନାଯୋଗ୍ୟ, ବିଓଟଙ୍କୁ ମିଶାଇ ଏଆଇୟୁ ଚଳିତ ବର୍ଷ ଡୋପ୍‌ ଅପରାଧ ପାଇଁ କେନିଆର ୧୦ ଏଲିଟ୍‌ ଆଥଲେଟଙ୍କୁ ସସ୍‌ପେଣ୍ଡ କରିସାରିଲାଣି।

Share