କେଏସ୍‌ଆଇପିଏଲ ଉଦ୍ୟମରେ ଲାଗିଲା ଶତାଧିକ ଚାରା : ‘ଗଛ ଲଗାଅ, ସୁରକ୍ଷା ଦିଅ’

ପରଜଙ୍ଗ, ୬।୭(ଡି.ଏନ.ଏ.): ପରଜଙ୍ଗ ବ୍ଲକ ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ବନ ବିଭାଗ ଏବଂ ୫୩ନଂ. ଜାତୀୟ ରାଜପଥ ନିର୍ମାଣକାର୍ଯ୍ୟ ନେଇଥିବା କୁନାଲ ଷ୍ଟ୍ରକ୍‌ଚର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ (କେଏସ୍‌ଆଇପିଏଲ୍‌) କମ୍ପାନୀର ମିଳିତ ସହଯୋଗରେ ଶତାଧିକ ଚାରା ରୋପଣ କରାଯାଇଥିଲା।
ମହାବିରୋଡ ରେଞ୍ଜର ହରମୋହନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ବାରିହାପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ନରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ। ବଢୁଥିବା ତାପମାତ୍ରା ରୋକିବାକୁ ହେଲେ ବ୍ୟାପକ ପରିମାଣର ଚାରା ରୋପଣ କରିବା ଜରୁରୀ। ଏହାକୁ ସମସ୍ତେ ହୃଦୟଙ୍ଗମ କରି ଗଛ ଲଗାଇବା ଏବଂ ଏହାର ସୁରକ୍ଷା ନେବା ଉଚିତ। ଏ ଦିଗରେ ଯୁବପିଢ଼ି ଏବଂ ସମସ୍ତ ଅନୁଷ୍ଠାନ ଆଗେଇ ଆସିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ।
କମ୍ପାନୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସରତାଜ ସିଂ, ପ୍ରୋଜେକ୍ଟ ମ୍ୟାନେଜର ସୁମନ୍ତ ପାତ୍ରୋ, ମାନବ ସମ୍ବଳ ଅଧିକାରୀ ଅମୂଲ୍ୟ ସାହୁ , ବିଦ୍ୟାଳୟ ଅଧ୍ୟାପକ ରବୀନ୍ଦ୍ର ସାହୁ, ପ୍ରଶାନ୍ତ ନାୟକ, ସାରଦା ପ୍ରସନ୍ନ କବି, ଫରେଷ୍ଟର ରାମଚନ୍ଦ୍ର ରାଉତ ସମେତ କମ୍ପାନୀ କର୍ମଚାରୀ ଉପସ୍ଥିତ ଥିଲେ। ବନ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା।