Categories: ରାଜ୍ୟ

କେଉଁ ୪ ପ୍ରାର୍ଥୀଙ୍କ ମୁଣ୍ଡରେ ହାତୀ ଢାଳିବ ସୁନାକଳସ

ନୟାଗଡ଼ ଅଫିସ,୨୨।୫: ପ୍ରାୟ ଏକ ମାସ ଧରି ଇଭିଏମ୍‌ରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଗୁରୁବାର ଖୋଲାଯିବ। ଏହି ଦିନ ଭୋଟଗଣତି ହେଉଥିବାରୁ ସବୁଠି ଉତ୍କଣ୍ଠା ପରିଲକ୍ଷିତ ହେଉଛି। ଜିଲାର ୪ ନିର୍ବାଚନମଣ୍ଡଳୀ ପାଇଁ ହୋଇଥିବା ନିର୍ବାଚନର ଗଣତି କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ କରାଯିବ। ୪ଟି ନିର୍ବାଚନମଣ୍ଡଳୀର ୨୯ପ୍ରାର୍ଥୀଙ୍କ ମଧ୍ୟରୁ କେଉଁ ୪ ପ୍ରାର୍ଥୀଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାହାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ଯ୍ୟାୟ ଶେଷ ହୋଇଛି। ସ୍ବୟଂଶାସିତ ମହାବିଦ୍ୟାଳୟକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଗୁରୁବାର ସକାଳ ୮ଟାରୁ ଗଣତି କରାଯିବ । ଗଣତିରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ସକାଳ ୫ଟାରୁ ହଲ୍‌କୁ ପ୍ରବେଶ କରିବେ। ମହାବିଦ୍ୟାଳୟ ପରିସରରେ ଜିଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୫୬ ଟେବୁଲରେ ଭୋଟ ଗଣତି କରାଯିବ। ପ୍ରତ୍ୟେକ ବିଧାନସଭା ଓ ଲୋକ ସଭା ଆସନ ପାଇଁ ୭ଟି ଲେଖାଏ ଟେବୁଲ କରାଯାଇଛି। ଜିଲାର ୪ ନିର୍ବାଚନମଣ୍ଡଳୀରେ ୯୩୬ ବୁଥ୍‌ରେ ମତଦାନ ହୋଇଥିଲା। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ୨୧୭ ବୁଥ୍‌ ଥିବାରୁ ୩୧ ରାଉଣ୍ଡରେ ଏହା ଶେଷ ହେବ। ରଣପୁର ନିର୍ବାଚନମଣ୍ଡଳୀରେ ୨୪୦ଟି ବୁଥ୍‌ ଥିବାରୁ ୩୫ ରାଉଣ୍ଡ, ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ୨୩୪ ବୁଥ୍‌ ଥିବାରୁ ୩୩ ରାଉଣ୍ଡ ଓ ନୟାଗଡ଼ ନିର୍ବାଚନମଣ୍ଡଳୀରେ ୨୪୫ ବୁଥ୍‌ ଥିବାରୁ ୩୫ ରାଉଣ୍ଡ ହେବ। ଭୋଟ ଗଣତି ପ୍ରତ୍ୟେକ ଗଣନା କେନ୍ଦ୍ରରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତି ଦିଆଯାଇଥିବା ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଡା. ଏନ୍‌ ତିରୁମାଲା ନାୟକ ସୂଚନା ଦେଇଛନ୍ତି। ଆରମ୍ଭରୁ ପ୍ରଥମେ ବାଲଟ ମତଦାନକୁ ଗଣନା କରାଯିବ। ଭୋଟ ଗଣତି ପାଇଁ ୨୮୮ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭକରି କର୍ମୀମାନେ ଉତ୍କଣ୍ଠାରେ ରହିଛନ୍ତି। ଅନ୍ୟପକ୍ଷେ ଭୋଟ ଫଳାଫଳ କ’ଣ ହେବ ତାହାକୁ ନେଇ ପ୍ରାର୍ଥୀମାନଙ୍କ ହୃଦସ୍ପନ୍ଦନ ବଢିବାରେ ଲାଗିଲାଣି। ରଣପୁର ନିର୍ବାଚନମଣ୍ଡଳୀ ପାଇଁ ସର୍ବାଧିକ ୧୦ ଜଣ, ନୟାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୮, ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ପାଇଁ ୪ ଓ ଦଶପଲ୍ଲା ନିର୍ବାଚନମଣ୍ଡଳୀ ପାଇଁ ୭ ଜଣ ଏହିଭଳି ମୋଟ ୨୯ ଜଣ ପ୍ରାର୍ଥୀ ଆଶା ଓ ଆଶଙ୍କାରେ ଅଛନ୍ତି। ସେହିପରି କନ୍ଧମାଳ, କଟକ ଓ ପୁରୀ ଲୋକ ସଭା ଆସନ ପାଇଁ ଏମ୍‌ପି ପ୍ରାର୍ଥୀ ହୋଇଥିବା ନେତାମାନେ ମଧ୍ୟ ଆଶା ଓ ଆଶଙ୍କାରେ ଅଛନ୍ତି।