କୃଷ୍ଣପ୍ରସାଦରେ ଲାଗିଲା ଆଣ୍ଡାମାନ ବୋଟ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୬।୧୦(ଡି.ଏନ୍‌.ଏ.): ଆଣ୍ଡାମାନ ଦ୍ବୀପରେ ବ୍ୟବସାୟ କରୁଥିବା ଏକ ବୋଟ ସାମୁଦ୍ରିକ ଝଡ଼ରେ ବାଟବଣା ହୋଇ ଗୁରୁବାର ରାତିରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଖିରିସାହି ଉପକୂଳରେ ଲାଗିଛି। ଉକ୍ତ ବୋଟର ୨ ନାବିକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋର୍ଟ ବ୍ଲେୟାରର କେତେଜଣ ଏକ ବୋଟରେ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଆଣ୍ଡାମାନ ଦ୍ବୀପରେ ଲାଗିଥିବା ଜାହାଜଗୁଡିକୁ ବିକ୍ରି କରିଥାନ୍ତି। ୩/୪ ଘଣ୍ଟା ମଧ୍ୟରେ ସେମାନେ ବ୍ୟବସାୟ ସାରି ଫେରିଥାନ୍ତି। ସେମାନେ ଅଗଷ୍ଟ ୨୮ ଭୋର ୫ଟାରୁ ପୋର୍ଟ ବ୍ଲେୟାରରୁ ଆଣ୍ଡାମାନ ଅଭିମୁଖେ ବାହାରିଥିଲେ। ହଠାତ୍‌ ସାମୁଦ୍ରିକ ଝଡ ସୃଷ୍ଟି ହେବାରୁ ବୋଟଟି ଦିଗହରା ହୋଇଥିଲା। ସମୁଦ୍ର ମଧ୍ୟରେ ବୁଲୁଥିବା ସମୟରେ ବୋଟରୁ ତେଲ ସରିଯାଇଥିଲା। ଶେଷରେ ବୋଟଟି ଭାସି ମ୍ୟାନମାର ଉପକୂଳରେ ଲାଗିଲା। ସେଠାରେ ଥିବା ତଟ ସୁରକ୍ଷା ବାହିନୀ ଏହି ବୋଟର ନାବିକମାନଙ୍କୁ ୨୫୦ଲିଟର ତେଲ ଏବଂ ଏକ ଦିଗବାରେଣୀ ଯନ୍ତ୍ର ଦେଇଥିଲେ। ଏହା ସାହାଯ୍ୟରେ ଉକ୍ତ ନାବିକମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଫେରୁଥିବାବେଳେ ପୁନର୍ବାର ଏକ ସାମୁଦ୍ରିକ ଝଡ଼ ଦେଖାଦେଇଥିଲା। ଫଳରେ ଏମାନେ ଲଙ୍ଗର ପକାଇ ରହିଥିଲେ। ହେଲେ ଲଙ୍ଗରର ଦଉଡି ଛିଡିଯିବା ସହିତ ବୋଟଟି କ୍ଷତିଗ୍ରସ୍ତ ହୋଇଥିଲା। ତେଲ ମଧ୍ୟ ସରିଯାଇଥିଲା। ଭୋକ ଉପାସ ଯୋଗୁ ଜଣେ ନାବିକ ବିଦ୍ୟାରଞ୍ଜନ ବିଶ୍ବାସ(୩୫)ଙ୍କ ମୃତ୍ୟୁ ହୋଇଥିଲା। ପରେ ବୋଟଟି ଭାସି ଆସି ଖିରିସାହି ଉପକୂଳରେ ଗୁରୁବାର ରାତିରେ ଲାଗିଛି। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ବୋଟରେ ଥିବା ଅନ୍ୟ ଜଣେ ନାବିକ ଅମ୍ରିତ କୁଜୁରୁଙ୍କୁ ଉଦ୍ଧାର କରିଛନ୍ତି। ଖବରପାଇ କୃଷ୍ଣପ୍ରସାଦ ପୋଲିସ ପହଞ୍ଚତ୍ ତଦନ୍ତ ଚଳାଇବା ସହ ବୋଟ ମାଲିକଙ୍କୁ ଜଣାଇଛି।