କୃଷ୍ଣପୁର ଲେଭଲ କ୍ରସିଂରେ ହେବ ଓଭରବ୍ରିଜ୍‌

ବଇଣ୍ଡା,୨୮।୨(ଡି.ଏନ.ଏ.) – ତାଳଚେର-ସମ୍ବଲପୁର ରେଳପଥର କିଶୋରନଗର ବ୍ଲକ କୃଷ୍ଣପୁର ଲେଭଲ କ୍ରସିଂଠାରେ ଏକ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କରିବା ପାଇଁ ରେଳମନ୍ତ୍ରୀ ପୀୟୂଷ ଗୋଏଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ନିକଟକୁ ଏକ ଚିଠି (ନଂ. ଏ-୬୬୮ ତା. ୩୦।୧।୨୦୨୦) ଆସିଛି। ଖୁବଶୀଘ୍ର ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟା ଦୂର ହେବ ବୋଲି ରେଳମନ୍ତ୍ରୀ ଗୋଏଲ ଉକ୍ତ ଚିଠିରେ ବିଧାୟକଙ୍କୁ ଅବଗତ କରିଛନ୍ତି।
ଘଟଣାରୁ ଜଣାପଡ଼ିଛି, କୃଷ୍ଣପୁର ଲେଭଲ କ୍ରସିଂକୁ ଉଚ୍ଛେଦ କରିବା ପାଇଁ ରେଳ ବିଭାଗ ପକ୍ଷରୁ ୨୦୧୮ ଓ ୨୦୧୯ରେ ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୨ ଥର ଆନ୍ଦୋଳନ ମଧ୍ୟ କରାଯାଇଥିଲା। ପରେ ଏ ନେଇ ଆଠମଲ୍ଲିକ ବିଧାୟକ ସାଏ ତା. ୧୧।୧।୨୦୨୦ରେ କୃଷ୍ଣପୁର ନିକଟସ୍ଥ ରେଳ ଧାରଣା ଉପରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଉକ୍ତ ଚିଠିରେ ବିଧାୟକ ଦର୍ଶାଇଥିଲେ, ଏହି ରେଳ ଧାରଣା ଦେଇ ପ୍ରତିଦିନ ଦେହୁରି ସାହି, କୁଆଝରୀ, ବଡ଼ବାହାଳ, ଆମ୍ବମୁଣ୍ଡା, ଚୁଳିଆପୁର, ପାଗବନ୍ଧା, ପୁରୁଣାପାଣି ଆଦି ୭ଟି ଗ୍ରାମବାସୀ ଯାତାୟାତ କରୁଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଫ୍ଲାଏ ଓଭର ବ୍ରିଜର ଆବଶ୍ୟକତା ରହିଛି। ହେଲେ ରେଳ ବିଭାଗ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପରିବର୍ତ୍ତେ ଫାଟକ ବନ୍ଦ କରିଦେବାକୁ ଯୋଜନା କରୁଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି। ଏହି ଫାଟକକୁ ସମ୍ପୂର୍ଣ୍ଣ ବନ୍ଦ କରି ଅନ୍ୟ ଏକ ରାସ୍ତା ଦେଇ ଯିବା ଆସିବା ପାଇଁ ଗ୍ରାମବାସୀଙ୍କୁ ରେଳ ବିଭାଗ ପକ୍ଷରୁ କୁହାଯାଉଥିବା ଯୋଗୁ ଗ୍ରାମବାସୀ ଆନ୍ଦୋଳନ କରିଥିଲେ। ତୁରନ୍ତ ରେଳବିଭାଗ ପକ୍ଷରୁ କୃଷ୍ଣପୁରଠାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ବିଧାୟକ ସାଏ ଚିଠିରେ ଉଲ୍ଲେଖ କରିଥିଲେ। ବିଧାୟକଙ୍କ ଏଭଳି ପଦକ୍ଷେପକୁ କୃଷ୍ଣପୁର ସହ ୮ଟି ଗ୍ରାମବାସୀ ସ୍ବାଗତ କରିଛନ୍ତି।