କୃଷି ବିଭାଗ ଅଗୋଚରରେ କୃଷକ ପଞ୍ଜୀକରଣ: ଫେକ୍‌ ଓ୍ବେବ୍‌ସାଇଟ୍‌ରେ ପଞ୍ଜୀକରଣ କରି ଟଙ୍କା ହଡପ ସନ୍ଦେହ

ସୋରଡା, ୧୩ା୬ (ଡି.ଏନ.ଏ.)- ସୋରଡା ଅଞ୍ଚଳରେ କୃଷକ ପରିଚୟପତ୍ର ପାଇବା ପାଇଁ ମହିଳା ପୁରୁଷ ଚାଷୀମାନଙ୍କ ଭିଡ କୃଷି କାର୍ଯ୍ୟାଳୟରେ ଲାଗିରହିଛି। ରାଜ୍ୟ କୃଷିବିଭାଗ ତରଫରୁ ଆବଶ୍ୟକ କାଗଜପତ୍ର ଗ୍ରହଣ କରାଯାଇ ଅନଲାଇନ୍‌ ପଞ୍ଜୀକୃତ କରାଯାଇ କୃଷକ ପରିଚୟପତ୍ର ପ୍ରଦାନ କରାଯାଇଛି ସମ୍ପୂର୍ଣ୍ଣ ମାଗଣାରେ। ଯେଉଁଥିରେ କି ଚାଷୀମାନଙ୍କୁ ସବ୍‌ସିଡି ବ୍ୟବସ୍ଥା ରହିଛି ଏବଂ ଏହା ନିୟମାନୁଯାୟୀ ଚାଲିଛି ବିଭାଗ ତରଫରୁ। କିନ୍ତୁ ଅନ୍ୟପଟେ ଆଉ ଏକପ୍ରକାର କୃଷକ ପରିଚୟପତ୍ର ପଞ୍ଜୀକରଣ କରି ଦିଆଯାଇଛି। ଏଥିପାଇଁ ଶହେରୁ ୩ଶହ ଟଙ୍କା ଦାବି କରାଯାଉଛି। ଉକ୍ତ ହଳଦିଆ ରଙ୍ଗ ପରିଚୟପତ୍ରରେ ଚାଷୀଙ୍କ ନାମ, ଠିକଣା, ପଞ୍ଜୀକରଣ ନମ୍ବର, ଫଟୋ ଏବଂ କେବଳ କୃଷିବିଭାଗ ବୋଲି ଇଂଲିଶରେ ଉଲ୍ଲେଖ ରହିଛି। ଏଠାରେ ୨୬ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଚାଷୀମାନଙ୍କୁ ପଞ୍ଜୀକରଣ କରାଯାଇଥିବା ଜଣାପଡିଛି। ଅଞ୍ଚଳର କେତେକ ବ୍ୟକ୍ତି ଚାଷୀଙ୍କ ଠାରୁ ତଥ୍ୟ ଓ ଟଙ୍କା ଆଣି ଏପରି ପଞ୍ଜୀକରଣ କରୁଛନ୍ତି। ବୁଧବାର ସୁଦ୍ଧା ରାଇବନ୍ଧ ପଞ୍ଚାୟତର ୪୨୮, ସିଦ୍ଧପୁର ୨୧୯, ଏକଲପୁରରେ ୧୫୧ ଏବଂ ଅନ୍ୟ ସବୁ ପଞ୍ଚାୟତରେ ଅଳ୍ପ କେତେଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହି ପରିଚୟପତ୍ର କେବଳ ସୋରଡା ନୁହେଁ ବରଂ ଗଞ୍ଜାମ ଜିଲାର ସବୁ ବ୍ଲକରେ ଚାଲିଛି। ପୁରୁଷୋତ୍ତମପୁର ୧୨୬୬୪, ଗଞ୍ଜାମ ୧୧୭୮୬, କବିସୂର୍ଯ୍ୟନଗର ୨୨୦୩୭, ଖଲ୍ଲିକୋଟରେ ୪୪୭୭୨ଜଣ ଚାଷୀ ପଞ୍ଜୀକରଣ କରିଥିବା ଓ୍ବେବ୍‌ସାଇଟ୍‌ରୁ ତଥ୍ୟ ମିଳୁଛି। କିଷାନ ଡଟ୍‌ ଜିଓଭିି ଡଟ୍‌ ଇନ୍‌ ନାମକ ଓ୍ବେବ୍‌ସାଇଟ୍‌ରେ ଏହା ପଞ୍ଜୀକୃତ ହୋଇଛି। ଓଡିଶାର ବିଭିନ୍ନ ଜିଲାରୁ ୪୨ଲକ୍ଷ ୩୪୨ ଜଣ ପଞ୍ଜୀକୃତ କରିସାରିଲେଣି।
ମାତ୍ର ଏଭଳି କୌଣସି ପରିଚୟପତ୍ର ପ୍ରଦାନ ବା ପଞ୍ଜୀକୃତ ପାଇଁ ନିର୍ଦ୍ଦେଶ ଆସିନି, ଉକ୍ତ ପରିଚୟପତ୍ରକୁ ନେଇ ଆମେ ମଧ୍ୟ ସନ୍ଦେହରେ ଅଛୁ। ଏହା ଏକ ଫେକ୍‌ ଓ୍ବେବସାଇଟ୍‌ ବୋଲି ଅନୁମାନ କରୁଛୁ। ଏନେଇ ଆମେ ଉପରିସ୍ଥ ଅଧିକାରୀମାନଙ୍କୁ ମଧ୍ୟ ଜଣାଇଛୁ। ଏହା ଉପରେ ଅନୁଧ୍ୟାନ ଚାଲିଛି ବୋଲି କହିଥିଲେ ବ୍ଲକ କୃଷି ଅଧିକାରୀ ରାଜକିଶୋର ସ୍ବାଇଁ ଓ ସବିତା ସୋରେନ୍‌। ଏପଟେ କାଳିଆ ଟଙ୍କା ମିଳିଥିବା ଯୋଗୁ ଚାଷୀମାନେ ମଧ୍ୟ କୌଣସି ସତ୍ୟତା ନ ଜାଣି ଯିଏ ଯାହା କହିଲା ବିଶ୍ୱାସ କରିବାରେ ଲାଗିଛନ୍ତି।