କୃଷି କାର୍ଯ୍ୟରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୋନପୁର, ୫।୧୨(ନି.ପ୍ର.) ଭାରତର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାଏ। ଦେଶର ୮୦ ପ୍ରତିଶତ ମହିଳା କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ଏହି କୃଷିଜୀବୀ ମହିଳାମାନଙ୍କୁ ମାନ୍ୟତା ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୃଷିଜୀବୀ ମହିଳା ଦିବସ ପାଳିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହିଳା ଚାଷୀମାନେ ନିଜର ଦକ୍ଷତା ବୃଦ୍ଧି କରି ସଶକ୍ତଭାରତ ଗଠନରେ ସହଯୋଗ କରିବାକୁ କହିଥିଲେ। ଜିଲା ସମାଜ କଲ୍ୟାଣ ଅଧିକାରୀ ଆସ୍ତେରିଆ କେର୍କେଟା ସମ୍ମାନିତ ଅତିଥିଭାବେ ଯୋଗଦାନ କରି ମହିଳାମାନେ କୃଷି ଏବଂ ଆନୁସଙ୍ଗିକ କୃଷି କାର୍ଯ୍ୟକୁ ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଜୀବନଜିତ୍‌ ସେନ ଚାଷ କାର୍ଯ୍ୟରେ ମହିଳାମାନଙ୍କର ବହୁମୁଖି ଭୂମିକା ଉପରେ ଆଲୋଚନା କରିଥିଲେ। ବୀରମହାରାଜପୁରର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଦ୍ୟାଦର ଦାସ, ଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ଡିପିଡି ଆତ୍ମା ତୁଷାର ରଞ୍ଜନ ମିଶ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଲୁସି ପ୍ରିୟଦର୍ଶନୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଗୀତାଞ୍ଜଳି ପ୍ରଧାନ, ସୁରଜ୍ୟୋତି ପ୍ରଧାନ ଓ ସୁପ୍ରଭା ସେଠୀ ଦିବସ ପାଳନ ସମ୍ପର୍କରେ ବୁଝାଇଥିଲେ।