କୂଅରେ ଗଲା ମା’ପୁଅଙ୍କ ଜୀବନ

ପରଜଙ୍ଗ, ୫।୫(ଡି.ଏନ.ଏ.)

ମା’ ସାମ୍ନାରେ କୂଅ ଭିତରେ ଖସିପଡ଼ିଲା ୩ବର୍ଷର ଶିଶୁପୁତ୍ର। ନିଜ ଆଖି ଆଗରେ ପୁଅର ମୃତ୍ୟୁକୁ କେମିତିବା ଦେଖିଥାନ୍ତା ମା’? ପୁଅକୁ ରକ୍ଷା କରିବାକୁ ଜୀବନକୁ ବାଜି ଲଗାଇ ସେ ଡେଇଁପଡ଼ିଲେ କୂଅ ଭିତରକୁ। ହେଲେ ମୃତ୍ୟୁର ଗର୍ତ୍ତରୁ ପୁଅକୁ ତ ବଞ୍ଚାଇ ପାରିଲେନି, ଓଲଟି ନିଜେ ଛନ୍ଦି ହୋଇଗଲେ ମୃତ୍ୟୁଫାଶରେ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ତୋରଡ଼ାନାଳୀ ଗ୍ରାମରେ ସୋମବାର ଘଟିଛି ଏପରି ଅଭାବନୀୟ ଘଟଣା।
ତୋରଡ଼ାନାଳୀ ଗ୍ରାମର ଜୟନ୍ତୀ ସାହୁ ଡିହଡୋଳ ଗ୍ରାମର ନବକିଶୋର ସାହୁଙ୍କୁ ବିବାହ କରିଥିଲେ। ତେବେ କ୍ୟାନ୍‌ସର ପୀଡ଼ିତା ମା’ଙ୍କ ସେବା କରିବାକୁ ଜୟନ୍ତୀ ସ୍ବାମୀ, ପୁଅ ପ୍ରିନ୍ସଙ୍କ ସହ ୨ମାସ ହେଲା ବାପଘରେ ରହୁଥିଲେ। ସୋମବାର ପୂର୍ବାହ୍ନ ୯ଟାରେ ଜୟନ୍ତୀ ଘର ପାଖରେ ଥିବା କୂଅକୁ ଲୁଗା ସଫା କରିବାକୁ ଯାଇଥିଲେ। ସାଙ୍ଗରେ ପ୍ରିନ୍ସ ମଧ୍ୟ ଥିଲେ। ଅସାବଧାନତାବଶତଃ ପୁଅ କୂଅରେ ଖସି ପଡ଼ିଥିଲେ। ଶିଶୁକୁ ବଞ୍ଚାଇବାକୁ ଯାଇ ଜୟନ୍ତୀ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ। ତେବେ ଅଧିକ ପାଣି ଥିବାରୁ ଉଭୟ ମା’, ପୁଅ ବୁଡ଼ି ଯାଇଥିଲେ। ଦୁହେଁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଏହି ସମୟରେ ପ୍ରିନ୍ସଙ୍କ ମୃତଦେହ କୂଅରେ ଭାସୁଥିଲା। ଜୟନ୍ତୀ ଗଭୀର ପାଣି ଭିତରକୁ ଚାଲିଯାଇଥିବାରୁ ସେ ବୁଡ଼ିଯାଇଥିବା ଜଣାପଡ଼ି ନ ଥିଲା। ନବକିଶୋର ଶିଶୁକୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଜୟନ୍ତୀଙ୍କୁ ମଧ୍ୟ ଉଦ୍ଧାର କରି ଡାକ୍ତରଖାନାକୁ ଅଣାଯାଇଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଚଳିତବର୍ଷ କିଛିଦିନ ବ୍ୟବଧାନରେ ନବକିଶୋରଙ୍କ ମା’ବାପାଙ୍କୁ ହରାଇଥିଲେ। ଏବେ ସ୍ତ୍ରୀ ଏବଂ ପୁଅଙ୍କ ମୃତ୍ୟୁରେ ସେ ଭାଙ୍ଗିପଡ଼ିଛନ୍ତି।
ଥାନାଧିକାରୀ ସନ୍ତୋଷ ପ୍ରଧାନ, ମହାବିରୋଡ଼ ଫାଣ୍ଡି ଅଧିକାରୀ ସରୋଜ ସେଠୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ ନଂ.୧୦/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।