କୁଲଡ଼ିହାରେ ମାଈହାତୀର ମୃତଦେହ ଠାବ

ସଜନାଗଡ଼, ୨୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲିଡ଼ିହା ଅଭୟାରଣ୍ୟରେ ରବିବାର ସକାଳେ ଏକ ମାଈହାତୀର ମୃତଦେହ ଠାବ କରାଯାଇଛି। ହାତୀଟି ୩/୪ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଅଭୟାରଣ୍ୟରେ ପ୍ରତିଦିନ ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ହାତୀର ମୃତ୍ୟୁ ସମ୍ପର୍କରେ କିପରି ଜାଣିପାରିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କୁଲଡ଼ିହା ବିଟ୍‌ ଅଧୀନ ଗୋହିରାଡ଼ାହି ଅଞ୍ଚଳରେ ବନ କର୍ମଚାରୀମାନେ ମାଈହାତୀର ମୃତଦେହ ପଡିଥିବା ଦେଖି ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା, କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର, କୁଲଡ଼ିହା ଫରେଷ୍ଟର ନରେଶ ସିଂଙ୍କ ସମେତ ପଶୁ ଡାକ୍ତର ପୁଥାଳ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମୃତ ମାଈହାତୀର ବୟସ ୫ବର୍ଷ, ଦନ୍ତାହାତୀ ସହ ଲଢ଼େଇ କରି ସେ ପ୍ରାଣ ହରାଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ପରେ ମୃତ ହାତୀକୁ ପୋତି ଦିଆଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।