କୁଲଡ଼ିହାରୁ ହାତୀର ମୃତଦେହ ଉଦ୍ଧାର: ହତ୍ୟା ପରେ ଦାନ୍ତ କାଟି ନିଆଯାଇଥିବା ସନ୍ଦେହ

ସଜନାଗଡ଼, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟର ଭାଲୁବସା ନିକଟରେ ବୁଧବାର ପୂର୍ବାହ୍ନରେ ଦନ୍ତାହାତୀର ମୃତଦେହ ପଡିଥିବା ଦେଖି ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ହାତୀର ଦୁଇଦାନ୍ତ ନ ଥିବା ବେଳେ ତାହାର ମୃତ୍ୟୁ ଦୁଇଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। କେହି ହତ୍ୟା କରିବା ପରେ ଦାନ୍ତକୁ କାଟି ନେଇଥିବା ବନବିଭାଗ ପକ୍ଷରୁ ସନ୍ଦେହ କରାଯାଇଛି। ଉଚ୍ଚପଦସ୍ଥ କର୍ମଚାରୀ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରେ ବାଲେଶ୍ୱର ଏସିଏଫ୍‌ଓ ସମୀର କୁମାର ସାହୁ, ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା, ଏସିଏଫ୍‌ଓ ଲକ୍ଷ୍ମଣ ପ୍ରଧାନ, ଫରେଷ୍ଟର କିଶୋର ଭୂୟାଁ ଉପସ୍ଥିତ ଥିଲେ। ଘଟଣାସ୍ଥଳରେ ନୀଳଗିରି ବନବିଭାଗ ଅଧିକାରୀଙ୍କ ସମେତ ପ୍ରାଣୀ ଚିକିତ୍ସା ଅଧିକାରୀ ବୁଦ୍ଧିରାମ ରାଉଳଙ୍କ ଉପସ୍ଥିତିରେ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି। ହାତୀର ମୃତ୍ୟୁ ସମ୍ପର୍କରେ ବନବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହଁ।