କୁଟୁରା ମାଂସ ସହ ବନ୍ଧୁକ ଜବତ, ୨ ଗିରଫ

ଆଠମଲ୍ଲିକ, ୧୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବନବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ଶିକାର କୁଟୁରା ମାଂସ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆଠମଲ୍ଲିକ ଥାନା ଦୁଧିଆନାଳୀ ଗ୍ରାମର ନରେନ୍ଦ୍ର ମୁଣ୍ଡା(୪୨) ଓ ଖମ୍ବେଶ୍ୱରପାଲି ଗ୍ରାମର ଭଦ୍ର ଦେହୁରୀ(୫୫)। ସେମାନଙ୍କଠାରୁ ଶିକାରରେ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ, କିଛି ଅଫୁଟା ଗୁଳି ଓ ଗୋଟିଏ ଛୁରି ଜବତ କରାଯାଇଛି।
ବନବିଭାଗ ସୂତ୍ରରୁ ପ୍ରକାଶ, ଆଠମଲ୍ଲିକ ରେଞ୍ଜ ତଲେଇପଥର ସଂରକ୍ଷିତ ଜଙ୍ଗଲର ୧୯ ନମ୍ବର କମ୍ପାର୍ଟମେଣ୍ଟରେ ଏହି ଶିକାର କରାଯାଇଛି। ଅଭିଯୁକ୍ତମାନେ ମାଂସ ଧରି ଫେରୁଥିବା ବେଳେ ଖବରପାଇ ଡିଏଫଓ ସମ୍ୟକ୍ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ କର୍ମଚାରୀମାନେ ସେଠାରେ ଚଢ଼ାଉ କରିଥିଲେ। ଖମ୍ବେଶ୍ବରୀଖୋଲ ନାଳ ନିକଟରୁ ଉଭୟଙ୍କୁ ଗିରଫ କରାଯିବା ପରେ ଭଦ୍ରଙ୍କ ଘରୁ ଦେଶୀ ବନ୍ଧୁକ ଜବତ କରାଯାଇଛି। ପରେ ବିଭାଗ ପକ୍ଷରୁ ଜବତ ମାଂସକୁ ପୋତି ଦିଆଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଡିଏଫ୍ଓ ପ୍ରକାଶ କରିଛନ୍ତି । ଚଢ଼ାଉରେ ରେଞ୍ଜ ଅଫିସର କୈଳାସଚନ୍ଦ୍ର ସାହୁ, ଫରେଷ୍ଟର ଶୁଭେନ୍ଦୁ କୁମାର ପ୍ରଧାନ, ସତ୍ୟବାନ୍ ମାହାର, ବିଦ୍ୟାଧର ପ୍ରଧାନ, ପରମେଶ୍ବର ବେହେରା, ଦିବାକର ପାତ୍ର, ସୁଧାକର ବିଶ୍ବାଳ ପ୍ରମୁଖ ସାମିଲ ଥିଲେ।