କୁକୁଡ଼ା ଚୋରି ଘଟଣାକୁ ନେଇ ହତ୍ୟା ମାମଲାର ରାୟ : ଅଭିଯୁକ୍ତ ଯୁବକଙ୍କୁ ଆଜୀବନ କାରାଦଣ୍ଡ

ରାଉରକେଲା ଅଫିସ, ୧୨।୧୨- ସୁନ୍ଦରଗଡ଼ ଜିଲା ଛେଣ୍ଡ ଥାନା ଅନ୍ତର୍ଗତ ହଠାତ ବସ୍ତିରେ ଏକ କୁକୁଡ଼ା ଚୋରି ଘଟଣାକୁ ନେଇ ଘଟିଥିବା ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲା ଦୌରାଜଜ୍‌ ଦୀପକ କୁମାର ୧୨ଜଣଙ୍କ ସାକ୍ଷ୍ୟ ଓ ଦସ୍ତାବିଜ ଆଧାରରେ ଅଭିଯୁକ୍ତ ଯୁବକ ଏତୁଆ ମୁଣ୍ଡାରୀ ଓରଫ ବଡ଼କାଙ୍କୁ ସଶ୍ରମ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୨ ବର୍ଷ କାରାଦଣ୍ଡାଦେଶ ଭୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୦୧୬ ଅକ୍ଟୋବର ୩ରେ ହଠାତ ବସ୍ତିରେ ଏକ କୁକୁଡ଼ା ଚୋରି ଘଟଣା ଘଟିଥିଲା। ସେହି ବସ୍ତିର ମହିଳା ଅନୀତା ବୁଡ଼ଙ୍କ ଘରୁ ଏକ କୁକୁଡ଼ା ଚୋରି ହୋଇଥିଲା। ପରେ ସେହି ବସ୍ତିରେ ରହୁଥିବା ଅନ୍ୟ ଜଣେ ମହିଳା ସୁଶୀଳା କୁଜୁରଙ୍କ ସମ୍ପର୍କୀୟ ଭାଇ ପ୍ରଦୀପ କୁଲୁ ଏତୁଆ ମୁଣ୍ଡାରୀ ନାଁରେ କୁକୁଡ଼ା ଚୋରି ଅଭିଯୋଗ ଆଣିଥିଲେ। ସେହି ରାତିରେ ପ୍ରଦୀପ ତାଙ୍କ ଭଉଣୀ ସୁଶିଳା ଘରେ ଖାଇବା ସମୟରେ ଏତୁଆ ହଠାତ ଉତ୍ତେଜିତ ହୋଇ ସୁଶିଳାଙ୍କ ଘରେ ପହଞ୍ଚି ଏକ ବାଉଁଶ ବାଡ଼ିରେ ପ୍ରଦୀପଙ୍କ ପଛପଟୁ ମୁଣ୍ଡରେ ପ୍ରହାର କରିଥିଲେ। ପ୍ରଦୀପ ତଳେ ପଡ଼ି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଭୟରେ ଘଟଣାସ୍ଥଳରୁ ଏତୁଆ ଫେରାର୍‌ ହୋଇଯାଇଥିଲେ। ପରେ ଏ ସମ୍ପର୍କରେ ଛେଣ୍ଡ ଥାନାରେ ୨୦୧୬ ଅକ୍ଟୋବର ୪ରେ ଏକ ମାମଲା (ନଂ.୯୭/୨୦୧୬) ରୁଜୁ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ସେତେବେଳେ ଏତୁଆଙ୍କୁ ଗିରଫ କରିଥିଲା। ସେ ସମୟରେ ଏହି ଘଟଣା ସ୍ଥାନୀୟ ବସ୍ତି ସମେତ ସହରରେ ଆଲୋଡ଼ନ ସୃଷ୍ଟି କରିଥିଲା ା ଏହି ମାମଲାକୁ ସରକାରୀ ଓକିଲ ଅଜୟ ପ୍ରଧାନ ପରିଚାଳନା କରୁଥିଲେ।