କୁକୁଡ଼ାଖଣ୍ଡିରେ ଝାମି ଯାତ୍ରା ପାଳିତ

କୁକୁଡ଼ାଖଣ୍ଡି,୯ା୩(ଡି.ଏନ୍‌.ଏ.)-କୁକୁଡ଼ାଖଣ୍ଡି ତୁଟାସାହିରେ ଥିବା ଝାମି ଏଲେମା ଠାକୁରାଣୀଙ୍କ ପୂର୍ଣ୍ଣିମା ଯାତ୍ରା ତଥା ଚଳିତ ବର୍ଷର ଶେଷ ଯାତ୍ରା ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ପହରୁ ରୀତିନୀତି ଅନୁଯାୟୀ ବେଢା, ଦୀପ ଆଳତି, ହେବା ସହ ଦୋଳ ପୂର୍ଣ୍ଣି ପାଇଁ ମା’ଙ୍କୁ ଚଣା, ଫେଣା, ଫୋଗୁ ଆଦି ଅର୍ପଣ କରାଯାଇଥିଲା। ଯାତ୍ରାରେ ମା’ଙ୍କୁ ଦର୍ଶନ କଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ
ମନ୍ଦିର ପରିସରରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏଥିସହ ପରିବାରର ମଙ୍ଗଳ ସକାଶେ ଭକ୍ତ ମାନେ ଯାତ୍ରାରେ ମୁଆଁ ପକାଇଥାନ୍ତି। ବିଶେଷ କରି ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ଲାଗି ଏହି ଯାତ୍ରା ଅତି ଗୁରୁତ୍ୱପୂର୍ଣ୍ଣ। କେଉଁ ପୌରାଣିକ କାଳରୁ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଯାତ୍ରାର ଶେଷରେ ପୁଣି ମା’ଙ୍କ ବେଢା, ଅଗ୍ନିପୂଜା, ଆଳତି ହୋଇ ଗୁପ୍ତନୀତି ସମ୍ପୂର୍ଣ୍ଣ ହୋଇଥାଏ। ଭିଡ଼କୁ ଦୃଷ୍ଟିରେ ରଖି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସ୍ବତନ୍ତ୍ର ବନ୍ଦବସ୍ତ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।