Categories: ରାଜ୍ୟ

କୀଟନାଶକ ପିଇ ନାବାଳିକାଙ୍କ ଆତ୍ମହତ୍ୟା

ବିଞ୍ଝାରପୁର,୬ା୬(ଡି.ଏନ୍‌.ଏ.): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ଗ୍ରାମପଞ୍ଚାୟତ ଅଧୀନ ବଣିଆପାଳ ଗ୍ରାମରେ ମଙ୍ଗଳବାର ରାତିରେ ଜଣେ ନାବାଳିକା କୀଟନାଷକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ଭାଗବତ ସେଠୀଙ୍କ ଝିଅ କଣ୍ଢେଇ ସେଠୀ (୧୭)। ବୁଧବାର ବିଞ୍ଝାରପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି। ଏଥିସହ ଏ ନେଇ ଏକ ଅପମୃତ୍ୟୁ ମାମଲା (୨୦/୧୯) ରୁଜୁ କରି ତଦନ୍ତ ଚଲାଇଛି। କଣ୍ଢେଇ ମାନସିକ ଅନଗ୍ରସର ଥିବାରୁ ପୂର୍ବରୁ ଦୁଇ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। କିନ୍ତୁ ରାତିରେ ଘରେ ପରିବାଚାଷ ପାଇଁ ଥିବା କୀଟନାଶକ ଖାଇଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, କଣ୍ଢେଇ ମଙ୍ଗଳବାର ରାତିରେ ପରିବାର ଲୋକଙ୍କ ସହ ଖାଇସାରି ଶୋଇବାକୁ ଯାଇଥିଲେ। ଶୋଇବାର କିଛି ଘଣ୍ଟାପରେ ସେ ବାନ୍ତି କରିବାରୁ ପରିବାର ଲୋକେ ତାଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।