କିଷାନ ସହ ମିଶ୍ରଣ ପ୍ରସଙ୍ଗରେ ବର୍ଷିଲା ନବ ନିର୍ମାଣ କୃଷକ ସଂଗଠନ: କହିଲା ‘ଭୋଟ ହାତେଇବା ପାଇଁ ‘କାଳିଆ’ ଏକ ଚାଲ୍‌ ଥିଲା’

ଭୁବନେଶ୍ୱର,୫।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ‘କିଷାନ’ ଯୋଜନା ଓ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ମିଶ୍ରଣ ସୁନିଶ୍ଚିତ ହୋଇଛି। ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବାକୁ ଯାଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ନବ ନିର୍ମାଣ କୃଷକ ସଂଗଠନ। ନିର୍ବାଚନ ପୂର୍ବରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ପ୍ରସଙ୍ଗ ଏବେ ଚାଲ ବୋଲି ଧରାପଡ଼ିଛି। ମୁଖ୍ୟମନ୍ତ୍ରୀ ନିର୍ବାଚନକୁ ଦେଖି ‘କାଳିଆ’ ଘୋଷଣା କରିଥିଲେ। ଭୋଟ ହାତେଇବା ପାଇଁ ଏହା ଚାଲ ଥିଲା। ଯାହା ଧରାପଡ଼ିଯାଇଛି। ସଂଗଠନ ପକ୍ଷରୁ ଏନେଇ ଏକ ଜନସ୍ବାର୍ଥ ମାମଲା ଦାୟାର କରାଯିବ ବୋଲି କୁହାଯାଇଛି।

ପ୍ରକାଶଯୋଗ୍ୟ, କୃଷମନ୍ତ୍ରୀ ଅରୁଣ ସାହୁ ଗୁରୁବାର ମିଶ୍ରଣ ନେଇ ସୂଚନା ଦେଇଛନ୍ତି। ଦୁଇ ଯୋଜନା ମିଶିଲେ ବି କାଳିଆ ଯୋଜନା ଚାଲୁ ରହିବ ବୋଲି ସେ କହିଛନ୍ତି। ଏହାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିସାରିଛି। ଏନେଇ ନିୟମାବଳୀ ବି ପ୍ରସ୍ତୁତ ହୋଇସାରିଛି। ତେବେ ପୂର୍ବରୁ କାଳିଆ ଯୋଜନାରେ ୧୦ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୬ହଜାର ଟଙ୍କା ମିଳୁଥିଲା। ହେଲେ ଏବେ ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ୬ହଜାର ଟଙ୍କା ଓ ରାଜ୍ୟ ସରକାର ୪ ହଜାର ଟଙ୍କା ଦେବେ । ଫଳରେ ରାଜକୋଷ ଉପରେ ଚାପ କମିବ ବୋଲି କୁହାଯାଉଛି।