କିଶୋରନଗର ପଞ୍ଚାୟତ ସମିତି ବୈଠକ: ପ୍ରଶାସନିକ ଅଧିକାରୀ ଅଧିକ ଯତ୍ନବାନ ହୁଅନ୍ତୁ

ବଇଣ୍ଡା,୧ା୧୧(ଡି.ଏନ.ଏ.)- କିଶୋରନଗର ପଞ୍ଚାୟତ ସମିତିର ୯ମ ବୈଠକ ବ୍ଲକ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ସରକାରୀ ଯୋଜନା କିପରି ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ ପ୍ରଶାସନିକ ଅଧିକାରୀମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ପରେଶ ଚନ୍ଦ୍ର ଦେଓ, ବିଡିଓ ଅମୃତା ପ୍ରିୟମ୍ବଦା, ଜିପିଓ ସୁଜାତା ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ, ଜିଲା ପରିଷଦ ସଭ୍ୟ ଅର୍ଜୁନ କୁମାର ପାଣ୍ଡେ, ବଂଶୀଧର ସେଠୀ, ସୁନୀଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ଜଳଯୋଗାଣ, ରାସ୍ତାଘାଟର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଇନ୍ଦିରା ଆବାସ ଗୃହ ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନେଇ ହଟ୍ଟଗୋଳ ହୋଇଥିଲା। ଜାମ୍ବୁନାଳୀ ପଞ୍ଚାୟତରେ କୋଠାଥିଲାବାଲାଙ୍କୁ ଆବାସ ଯୋଗାଇ ଦିଆଯାଇଥିବା ସମିତିସଭ୍ୟ ଲକ୍ଷ୍ମୀଧର ପ୍ରଧାନ ଅଭିଯୋଗ କରିଥିଲେ। ସେହିପରି ନୁନୁକାପଶି ପଞ୍ଚାୟତର ସରକାରୀ ଜମିରେ ରହୁଥିବା ବହୁ ଗରିବ ଲୋକେ ଆବାସ ପାଇଥିଲେ ବି ଭୂମିହୀନ ହୋଇଥିବାରୁ ଘର ନିର୍ମାଣ କରିପାରୁ ନାହାନ୍ତି। ତୁରନ୍ତ ଜିଲାପାଳ ଉକ୍ତ ଜାଗାରେ ଗୃହ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦେବାକୁ ସରପଞ୍ଚ ଜଳଧର ସାହୁ ଦାବି କରିଥିଲେ। ସେହିପରି ନୁନୁକାପଶି ପଞ୍ଚାୟତର ରାସ୍ତାପାର୍ଶ୍ୱରେ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଭାଙ୍ଗିଦିଆଯାଇଥିବା ପଶୁ ଚିକିତ୍ସାଳୟ, ରାଜସ୍ବ କାର୍ଯ୍ୟାଳୟ ଓ ବିଭିନ୍ନ ସ୍କୁଲର ଶୀଘ୍ର ନିର୍ମାଣ କାର୍ଯ୍ୟ ପାଇଁ ବୈଠକରେ ଦାବି କରାଯାଇଥିଲା। ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସେବା ଯୋଗାଣ ନିମନ୍ତେ କେତେଜଣ ସରପଞ୍ଚ ଦାବି କରିଥିଲେ।