କିରୋସିନ ବାଟମାରଣା ଅଭିଯୋଗରେ ଡିଲର ନିଲମ୍ବିତ

ବାଲେଶ୍ୱର ଅଫିସ, ୧୩।୩: ବାଲେଶ୍ୱର ସଦର ବ୍ଲକ ଅଧୀନ ଗୁଡ଼ ପଞ୍ଚାୟତର ଡିଲର ହିତାଧିକାରୀଙ୍କୁ କିରୋସିନ ନ ଦେଇ ହେରଫେର କରିଥିବା ନେଇ ୬ ମାସ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଯାଇ ଡିଲରଙ୍କୁ ନିଲମ୍ବନ କରାଯାଇଛି। ଗୁଡ଼ ପଞ୍ଚାୟତର ରାଶନ ସାମଗ୍ରୀ ଯୋଗାଇ ଦେବା ପାଇଁ ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ଡିଲର ଭାବେ ଯୋଗାଣ ବିଭାଗ ଦ୍ୱାରା ନିଯୁକ୍ତ ଦିଆଯାଇଥିଲା। ଉକ୍ତ ଅଞ୍ଚଳର ୭ଶହରୁ ଉର୍ଦ୍ଧ୍ୱ ହିତାଧିକାରୀ ଥିବା ବେଳେ କାଁ ଭାଁ କେତେଜଣଙ୍କୁ କିରୋସିନ ଯୋଗାଇ ଦେଇ ଅନ୍ୟମାନଙ୍କୁ ବିଭିନ୍ନ କାରଣରୁ ଦେଉ ନ ଥିବା ଗ୍ରାମବାସୀ ୬ମାସ ପୂର୍ବରୁ ମିଳିତ ଜନଶୁଣାଣିରେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ତଦନ୍ତ କରିବା ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସଦର, ରେମୁଣା, ବସ୍ତା ଓ ଜଳେଶ୍ୱର ମାର୍କେଟିଂ ଇନ୍ସପେକ୍ଟର ମିଳିତ ତଦନ୍ତ କରି ରିପୋର୍ଟ ଦେଇଥିଲେ। ଏହାକୁ ଭିତ୍ତି କରି ଗତ ୧୧ତାରିଖରେ ଉପଜିଲାପାଳଙ୍କ ଅଫିସ୍‌ ଚିଠି (ନଂ. ୮୦) ଅନୁଯାୟୀ ଉକ୍ତ ଡିଲରକୁ ନିଲମ୍ବିତ କରାଯାଇଥିବା ଉପଜିଲାପାଳ ନୀଲୁ ମହାପାତ୍ର ପ୍ରକାଶ କରିଛନ୍ତି।