କିରୋସିନ ଢ଼ାଳି ସ୍ତ୍ରୀଙ୍କୁ ପୋଡ଼ି ହତ୍ୟା ମାମଲା: ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର ଅଫିସ,୧୭।୩-ସ୍ତ୍ରୀଙ୍କୁ କିରୋସିନ ଢାଳି ପୋଡି ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁବାସ କୁମାର ବିହାରୀ ତାଙ୍କ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୧ଲକ୍ଷ ଟଙ୍କା ଜରିମାନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ୨ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ଶାଶୁ ଶ୍ୱଶୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
୨୦୧୪ରେ ରେମୁଣା ଥାନା କାଠସଙ୍ଗଡ଼ା ଗ୍ରାମର କାଶୀନାଥ ଜେନା ତାଙ୍କ ଝିଅ ଜୟନ୍ତୀଙ୍କୁ ସଦର ଥାନା ଔପାଳ ଗାଁର ଶରତ ଜେନାଙ୍କୁ ବୈଦିକ ରୀତି ଅନୁଯାୟୀ ଯାନିଯୌତୁକ ଦେଇ ବିବାହ ଦେଇଥିଲେ। କିଛିଦିନ ପରେ ଜୟନ୍ତୀ ପାସବୁକ୍‌ରେ ରଖିଥିବା କିଛି ଟଙ୍କା ନେବା ପାଇଁ ସ୍ବାମୀ ବାରମ୍ବାର ପାସବୁକ୍‌ ମାଗିଥିଲେ। ସେ ନ ଦେବାରୁ ସ୍ବାମୀ ଓ ଶାଶୁ ଶ୍ୱଶୁରଙ୍କ ତାଙ୍କ ସହ ଗଣ୍ଡଗୋଳ କରିବା ସହ ମାରପିଟ୍‌ କରିଥିଲେ। ଏପରିକି ଜୟନ୍ତୀ ବାପଘରକୁ ପଳାଇ ଆସିଲେ ମଧ୍ୟ ବାପଘର ଲୋକେ ତାଙ୍କୁ ବୁଝାଇ ଶ୍ୱଶୁରଘରକୁ ପଠାଇ ଦେଉଥିଲେ। ଗତ ୨୦୧୭ ଫେବୃୟାରୀ ୮ ତାରିଖରେ ଜୟନ୍ତୀଙ୍କୁ ଶାଶୁ ଘର ଲୋକେ କିରୋସିନ ଢ଼ାଳି ନିଆଁ ଲଗାଇ ପୋଡ଼ି ଦେଇଥିବା ତାଙ୍କ ବାପା ଓ ପରିବାର ଲୋକେ ଜାଣିପାରି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ଦେଖି ଜୟନ୍ତୀ କହିଥିଲେ ଯେ, ଶରତ ଟଙ୍କା ଉଠାଇବା ପାଇଁ ପାସବୁକ୍‌ ମାଗିଥିଲେ। ସେ ନ ଦେବାରୁ ଜୀବନରୁ ମାରିଦେବାର ଧମକ ଦେଇ ଘର ଭିତରକୁ ନେଇ ଯାଇ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗାଁ ଲୋକେ ଆସି ଉଦ୍ଧାର କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଘଟଣାର କିଛିଦିନ ପରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ସଦର ଥାନାରେ କାଶୀନାଥ ଲିଖିତ ଅଭିଯୋଗ କରିଥିଲେ। ଏନେଇ ମାମଲା (ନଂ. ୩୪/୧୭) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ଶରତଙ୍କ ମା’ ଓ ବାପାଙ୍କୁ ଜାମିନ ମିଳିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଶରତ ଜେଲରେ ଥିଲେ। ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ବିହାରୀ ୧୫ଜଣ ସାକ୍ଷ୍ୟ ଓ ୮ ଦସ୍ତାବିଜ୍‌କୁ ଆଧାର କରି ଏହି ରାୟ ଦେଇଛନ୍ତି। ଉକ୍ତ ମାମଲାକୁ ସରକାରଙ୍କୁ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୀପକ କୁମାର ଦାସ ପରିଚାଳନା କରିଥିଲେ।