ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍ବଶତଃ ଏକ ଧାତବ ପିନ୍ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍ଭାନ୍ସ ଏଣ୍ଡୋସ୍କୋପି ପଦ୍ଧତିରେ ପିନ୍ଟିକୁ ସଫଳତାର ସହ ବାହାର କରିିଛନ୍ତି। ଲଗାତର ବାନ୍ତିହେବା ପରେ ଅଗଷ୍ଟ ୧୮ରେ ଶିଶୁଟିକୁ କିମ୍ସକୁ ଅଣାଯାଇଥିଲା। ପରୀକ୍ଷାନିରୀକ୍ଷା ଓ ଇମେଜିଂ ଏକ୍ସ-ରେରୁ ପିନ୍ଟି ଗଳା ନିକଟସ୍ଥ ଖାଦ୍ୟନଳୀର ଉପରିଭାଗରେ ଫସିରହିଥିବା ଜଣାପଡ଼ିଥିଲା। ପିନ୍ଟି ମୁନିଆ ହୋଇଥିବାରୁ ଶିଶୁର ଖାଦ୍ୟନଳୀରୁ ବାହାକରିବା କିମ୍ସ ଡାକ୍ତରଙ୍କ ପକ୍ଷେ ଏହା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା ବୋଲି କିମ୍ସ ପକ୍ଷରୁ କୁହାଯାଇଛି। ଇଏନ୍ଟି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ଆନେସ୍ଥେସିଓଲୋଜି ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଟିମ୍ ମିଳିତ ଭାବେ ଚିକିତ୍ସା କରିଥିଲେ। ଏକ ଆଡ୍ଭାନ୍ସଡ୍ ଏଣ୍ଡୋସ୍କୋପିକ୍ ପଦ୍ଧତି ମାଧ୍ୟମରେ ଡାକ୍ତରମାନେ ସାବଧାନତାର ସହ ପିନ୍ଟିକୁ ପ୍ରଥମେ ପେଟ ଭିତରକୁ ଠେଲିଦେଇଥିଲେ ଏବଂ ପରେ ଖାଦ୍ୟନଳୀ ଦେଇ ଦିଆଯାଇଥିବା ଫ୍ଲେକ୍ସିବଲ୍ ଏଣ୍ଡୋସ୍କୋପ୍ ସାହାଯ୍ୟରେ ପାଟି ବାଟେ ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଶିଶୁଟିକୁ ଗୋଟିଏ ଦିନ ପାଇଁ ନିବିଡ଼ ସେବା କେନ୍ଦ୍ର (ପିକୁ)ରେ ରଖି ନଜର ରଖାଯାଇଥିଲା। ଡା. କବିକାନ୍ତ ସାମନ୍ତରାୟ, ଡା. ମାନସ ରଞ୍ଜନ ରାଉତ, ଡା. ଟି. ରାଜମୋହନ ରାଓ, ଡା. ଦିବ୍ୟଲୋଚନ ପ୍ରହରାଜ ଏବଂ ଡା. ସ୍ନେହାଙ୍କ ସହ ସହାୟକ ମେଡିକାଲ ଓ ନର୍ସିଂ ଟିମ୍ ମିଳିତ ଉଦ୍ୟମରେ ଏହି ଚିକିତ୍ସା ସଫଳ ହୋଇଥିଲା ା ଡାକ୍ତରମାନେ କହିଛନ୍ତି, ବିଶେଷ କରି ଗିଳିଦେଇଥିବା ବସ୍ତୁଟି ମୁନିଆ ହୋଇଥିଲେ ଏଭଳି କ୍ଷେତ୍ରରେ ଠିକ୍ ସମୟରେ ରୋଗ ନିରୂପଣ ଏବଂ ଚିକିତ୍ସା ଅତ୍ୟନ୍ତ ଆବଶ୍ୟକ ା ସତର୍କ ଯୋଜନା, ଆଡ୍ଭାନ୍ସ୍ସଡ୍ ଏଣ୍ଡୋସ୍କୋପିକ୍ ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଯୋଗୁ ଏହି ଜଟିଳ ଚିକିତ୍ସା ସଫଳ ହୋଇପାରିଛି।