କିଏ ଖୁସି ହେବ

ତଥାଗତ ସତପଥୀ

ତଥ୍ୟ ବା ଡାଟା ଏବେ ଦେଶ ଦୁନିଆକୁ ପରିଚାଳନା କରୁଛି। ସେଥିପାଇଁ ସରକାରୀ, ଘରୋଇ ସଂସ୍ଥାଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ତଥ୍ୟକୁ ଗୁରୁତ୍ୱ ଦିଆଯାଉଛି। ଡାଟାବେସ୍‌ ବା ତଥ୍ୟାବଳୀ ପ୍ରସ୍ତୁତ କରି ତାହାକୁ ଦଲିଲଭୁକ୍ତ ବା ଡକ୍ୟୁମେଣ୍ଟେଶନ କରି ରଖିବା ଏକ ଜାତି ପାଇଁ ନିତାନ୍ତ ଦରକାର। କିନ୍ତୁ ଦିନକୁ ଦିନ ନାଗରିକଙ୍କ ସ୍ଥାୟିତ୍ୱ ଓ ପରିଚୟ ଉପରେ ପରୀକ୍ଷଣ କରାଯିବା ଦ୍ୱାରା ଯେଉଁ ଜନବଳ ଓ ଅର୍ଥବଳ ଖର୍ଚ୍ଚ ହେଉଛି, ସେ ସମ୍ବନ୍ଧରେ କେହି ପ୍ରଶ୍ନ କରୁନାହାନ୍ତି। ଏହାଠାରୁ ଅଧିକ ଗୁରୁତ୍ୱ ଧାରଣ କରୁଛି ସେହିସବୁ ଗଚ୍ଛିତ ତଥ୍ୟଗୁଡ଼ିକୁ କାହା ହେପାଜତରେ ଏବଂ କେମିତି ରଖାଯିବ। ଆଧୁନିକ ପୃଥିବୀରେ ସବୁଠାରୁ ମୂଲ୍ୟବାନ୍‌ ପଦାର୍ଥ ହେଉଛି ତଥ୍ୟ। ସେଥିପାଇଁ ଅନେକ ଶିଳ୍ପପତି ଏହାକୁ ଆଧୁନିକ ‘ତୈଳ’ର ଆଖ୍ୟା ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନୂତନ ‘ସୁନା’ ବୋଲି କହିଛନ୍ତି।
ଆମେ ଏହି ସ୍ତମ୍ଭରେ ପୂର୍ବରୁ ଉଲ୍ଲେଖ କରିଛୁ ଯେ, ଭୋଟର ଓ ରାଶନ କାର୍ଡ ପ୍ରଚଳନ ହେବା ପୂର୍ବରୁ ବ୍ୟକ୍ତିଙ୍କ ଜମି ପଟ୍ଟା ବା ସମ୍ପତ୍ତି ମାଲିକାନାର କାଗଜପତ୍ର ଦେଖାଯାଉଥିଲା। ଯେଉଁମାନଙ୍କର ସେତକ ସମ୍ବଳ ନ ଥିଲା, ସେମାନଙ୍କ ପରିଚୟ ଜାଣିବା ଲାଗି ସରପଞ୍ଚ କିମ୍ବା ପଡ଼ୋଶୀଙ୍କ ସାହାରା ନିଆଯାଉଥିଲା। କିଛିବର୍ଷ ହେବ ଆଧାର କାର୍ଡକୁ ଭାରତୀୟଙ୍କ ଜୀବନର ପ୍ରତିଟି କାର୍ଯ୍ୟରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଲେ । ଏହି କାର୍ଡ ପାଇବା ପାଇଁ ଲୋକେ ବାୟୋମେଟ୍ରିକ ବା ଶାରୀରିକ ତଥ୍ୟକୁ ଯେତେସମ୍ଭବ ସେତେ ଦେଇଦେଲେ। କୁହାଗଲା ଭୋଟର କାର୍ଡ ଅପେକ୍ଷା ଆଧାର କାର୍ଡରେ ଅଧିକ ତଥ୍ୟ ସନ୍ନିବେଶିତ ଥିବାରୁ ଏହାର ଚାହିଦା ଅଧିକ। କିଛି ମାସ ହେବ ଭାରତୀୟ ନାଗରିକଙ୍କ ସ୍ଥାୟିତ୍ୱକୁ ନେଇ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଓ ଏବେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଦେଶବ୍ୟାପୀ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସିଏଏକୁ ପ୍ରତିବାଦ କରି ୨୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଗାଡ଼ିମୋଟର ଜଳାଯିବା ସହ ସରକାରୀ ସମ୍ପତ୍ତି ଧ୍ୱଂସ କରାଯାଉଛି। ତଥାପି ବିବାଦ ଥମୁ ନାହିଁ। ଏଭଳି ଏକ ଅପ୍ରୀତିକର ସ୍ଥିତି ଦେଇ ଦେଶ ଗତି କରୁଥିବା ବେଳେ ପୁଣି ଏକ ପ୍ରସଙ୍ଗ ମୁଣ୍ଡ ଟେକିଲାଣି। ତାହା ହେଉଛି ନ୍ୟାଶନାଲ ପପୁଲେଶନ ରେଜିଷ୍ଟର ବା ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)। ଦେଶରେ ରହୁଥିବା ବ୍ୟକ୍ତିଙ୍କ ପରିଚୟ ତଥ୍ୟାବଳୀ ପ୍ରସ୍ତୁତ ଲାଗି ବ୍ୟାପକ ଭାବେ ଡେମୋଗ୍ରାଫିକ୍‌ ବା ଜନସାଂଖ୍ୟକୀୟ ଏବଂ ବାୟୋମେଟ୍ରିକ୍‌ ବା ଶାରୀରିକ ତଥ୍ୟ ସଂଗ୍ରହ ସକାଶେ କରାଯାଉଥିବା ପ୍ରକ୍ରିୟାକୁ ଏନ୍‌ପିଆର୍‌ କୁହାଯାଉଛି। ଏଥିରେ ତନ୍ନତନ୍ନ କରାଯାଇ ସ୍ଥାନୀୟ ଅଞ୍ଚଳର ଲୋକସଂଖ୍ୟା ଓ ପ୍ରତ୍ୟେକଙ୍କ ବିଷୟରେ ବ୍ୟକ୍ତିଗତ ତଥ୍ୟ ସଂଗ୍ରହକୁ ଗୁରୁତ୍ୱ ଦିଆଯିବାର ବ୍ୟବସ୍ଥା ରହିଛି। ସ୍ଥାନୀୟ (ଗାଁ ବା ଓ୍ବାର୍ଡ), ଉପ-ଜିଲା (ତହସିଲ ବା ତାଲୁକ), ଜିଲା ଏବଂ ରାଜ୍ୟସ୍ତରୀୟ ତଥ୍ୟ ସଂଗ୍ରହ କରାଯାଇ ତାହାକୁ ସଙ୍କଳିତ କରାଯିବ। ୨୦୨୧ ଜନଗଣନାକୁ ଲକ୍ଷ୍ୟରେ ରଖାଯାଇ ଏପ୍ରିଲ ୨୦୨୦ରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଏହା ଶେଷ କରାଯିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତିି। ତେବେ ଏ ଯେଉଁ ପ୍ରକ୍ରିୟା ଚାଲିଛି, ସେ ବିଷୟରେ ଅନେକେ ଅବଗତ ନାହାନ୍ତି। ପଶ୍ଚିମବଙ୍ଗର ସିଭିଲ ରାଇଟ୍‌ସ ଆକ୍ଟିଭିଷ୍ଟମାନେ ଏହାକୁ ପ୍ରତିବାଦ କରିବାରୁ ଏ ପ୍ରସଙ୍ଗ ନେଇ ଆଲୋଚନା ହେଲାଣି। ଏହି କର୍ମକର୍ତ୍ତାଙ୍କ ଅଭିଯୋଗ ହେଉଛି ଯେ, ଜନଗଣନା ସହ ଏନ୍‌ପିଆର୍‌ର କୌଣସି ସମ୍ପର୍କ ନାହିଁ। ବରଂ ରାଜ୍ୟରେ ଏନ୍‌ଆର୍‌ସି ଲାଗୁ କରିବା ସକାଶେ ଏହା ହେଉଛି ପ୍ରଥମ ପଦକ୍ଷେପ।
ଏଠାରେ ପ୍ରଶ୍ନ ଉଠୁଛି, କାହିଁକି ଭାରତୀୟ ବ୍ୟବସ୍ଥା ତା’ର ଲୋକଙ୍କ ସ୍ଥାୟିତ୍ୱ, ପରିଚୟ, ପସନ୍ଦ, ଧର୍ମ ଆଦି ଉପରେ ବାରମ୍ବାର ଅନୁଧ୍ୟାନ କରିଚାଲିଛି। ଆଧାରକୁ ଭାରତୀୟଙ୍କ ପରିଚୟର ଆଧାର ବୋଲି କୁହାଯାଇ ଏହାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ଆସିଥିବା ବେଳେ ଏନ୍‌ପିଆର୍‌ ଭଳି ନୂଆ ଚିନ୍ତାଧାରାର ଆବଶ୍ୟକତା ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ। ହୁଏତ ଆଗକୁ ନାଗରିକଙ୍କ ପ୍ରମାଣପତ୍ର ଜାଣିବା ଲାଗି ଭିନ୍ନ ଟୁଲ୍ସ ବା ଯନ୍ତ୍ରପାତି ଭଳି ପରିଚୟ ଦଲିଲ ଖୋଜାଯାଇପାରେ। ଭାରତୀୟଙ୍କ ନାଗରିକତ୍ୱ ଓ ଚରିତ୍ର ଉପରେ ବାରମ୍ବାର ପରୀକ୍ଷଣ କରାଯିବା ଦ୍ୱାରା ଆମେ ଏକ ବିକୃତ ଜାତିର ପରିଚୟ ଦେବା ଭଳି ମନେହେଉଛି। ଏହିଭଳି ଭାବେ ସର୍ବଦା ଖୋଳତାଡ଼ ଲାଗି ରହିଲେ ବାସ୍ତବ ବିକାଶ ବାଧାପ୍ରାପ୍ତ ହେବ। ଅସଚେତନ ଭାରତୀୟ ସୁବିଧା ପାଇବା ନିମନ୍ତେ ସର୍ବଦା ସରକାରଙ୍କ ନୂଆ ଅବାଞ୍ଛିତ କାର୍ଯ୍ୟକ୍ରମକୁ ଗ୍ରହଣ କରିଚାଲିଲେ ସରକାରୀ ବ୍ୟବସ୍ଥା ଲୋକଙ୍କ ଉପରେ ବିଭିନ୍ନ ପ୍ରକାରର ବୋଝ ଲଦି ଚାଲୁଥିବ।
ଏଠାରେ ଓଡ଼ିଶାର ଉଦାହରଣ ଦିଆଯାଇପାରେ। କେନ୍ଦ୍ର ସରକାରଙ୍କ ନୀତିକୁ ସମର୍ଥନ କରିବା ପାଇଁ ମୁଷ୍ଟିମେୟ ବ୍ୟକ୍ତି ଆଗେଇ ଆସୁଥିବା ବେଳେ ସାଧାରଣ ନାଗରିକ ଏହିସବୁ ମାରାତ୍ମକ କାର୍ଯ୍ୟକ୍ରମକୁ ବୁଝିବାରେ ଅସମର୍ଥ। ଜାଣିଶୁଣି ଧାରଣା ସୃଷ୍ଟି କରାଯାଉଛି ଯେ ଏନ୍‌ପିଆର୍‌, ଯାହା ଏନ୍‌ଆର୍‌ସି ସହ ଜଡ଼ିତ ହେବ ଏବଂ ଏନ୍‌ଆର୍‌ସି, ଯାହା ସିଏଏ ସହ ସମ୍ବନ୍ଧ ରଖୁଛି, ଏହାସବୁ ମୁସଲମାନ ସମ୍ପ୍ରଦାୟ ବିରୋଧରେ ଉଦ୍ଦିଷ୍ଟ। ବାସ୍ତବ ପରିସ୍ଥିତି ତାହା ନୁହେଁ। ସବୁ ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବାକୁ ହେଲେ ସରକାରୀ ଅଧିକାରୀଙ୍କ ଉପରେ ଦାୟିତ୍ୱ ଛାଡ଼ିଦିଆଯିବ। କୌଣସି ଗୋଟିଏ ଅଞ୍ଚଳରେ କେଉଁ ପ୍ରକାରର ସରକାରୀ କର୍ମଚାରୀ ଜନସାଧାରଣଙ୍କ ପ୍ରତି କିଭଳି ଦୃଷ୍ଟିକୋଣ ପୋଷଣ କରିବେ ତାହା କହିବା କଷ୍ଟକର। ଗରିବ ହିନ୍ଦୁଙ୍କ ପାଇଁ ନିଜର ତଥ୍ୟଭିତ୍ତିକ ଦଲିଲ ପ୍ରଦାନ କରିବା ମଧ୍ୟ ଅତ୍ୟନ୍ତ କଷ୍ଟକର ହେବ। ସେହିସବୁ କାଗଜପତ୍ରକୁ ନିରୀକ୍ଷଣ କରିବା ଲାଗି ହିନ୍ଦୁ ଅଫିସର ଥିଲେ ସହଜ ହେବ ବୋଲି ଭାବିବା ଏକ ବିରାଟବଡ଼ ତ୍ରୁଟି। ଆଜି ଆମେ ଚତୁଃପାର୍ଶ୍ୱରେ ଆଖି ବୁଲାଇଲେ ପୋଲିସ ଥାନାଠାରୁ ଜିଲାପାଳଙ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ କର୍ତ୍ତୃପକ୍ଷ ହିନ୍ଦୁ ବୋଲି କହିପାରିବା। ସେହି ହିନ୍ଦୁ କର୍ତ୍ତୃପକ୍ଷ ଅତ୍ୟନ୍ତ ଦୁର୍ନୀତିଖୋର ହୋଇଥିବା ସହିତ ନିରୀହଙ୍କ ପ୍ରତି ଅତ୍ୟାଚାର କରୁଥିବାର ପ୍ରତ୍ୟେକ ଦିନ ଅନେକ ଦୃଷ୍ଟାନ୍ତ ମିଳୁଛି। ଏଥିରୁ ବୁଝିବାକୁ ହେବ ଯେ, ଦୁର୍ନୀତି ଓ ଅନ୍ୟାୟ ଘଟାଉଥିବା ସରକାରୀ କର୍ତ୍ତୃପକ୍ଷ ଯେମିତି ମହିଳା କିମ୍ବା ପୁରୁଷ ହୋଇପାରନ୍ତି, ସେମିତି ହିନ୍ଦୁ କିମ୍ବା ମୁସଲମାନ ହୋଇପାରନ୍ତି। ଅର୍ଥାତ୍‌ ଲିଙ୍ଗ ଏବଂ ଧର୍ମ ଦେଖି କରି ନ୍ୟାୟବାନ୍‌ ଓ ଦୁର୍ନୀତିମୁକ୍ତ ବୋଲି କହିହେଉ ନାହିଁ। ସେଥିପାଇଁ ଆଜି ଯେତେବେଳେ ଭାରତର ଅଧିକାଂଶ ହିନ୍ଦୁ ଭାବୁଛନ୍ତି ଯେ, ନାଗରିକତ୍ୱ ଆଇନ ସେମାନଙ୍କୁ ଛୁଇଁପାରିବ ନାହିଁ, ସେହି ଭାରତୀୟ ନାଗରିକଙ୍କୁ ନିଜ ଅଞ୍ଚଳର ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ଉପରେ ନଜର ପକାଇ ସେମାନଙ୍କ ଧର୍ମ ସମ୍ପର୍କରେ ବୁଝିବା ସହିତ ତାଙ୍କର କାର୍ଯ୍ୟରେ ସେମାନେ କେତେ ନ୍ୟାୟ ଦେଉଛନ୍ତି ଏବଂ କେତେ ଦୁର୍ନୀତିମୁକ୍ତ ରହୁଛନ୍ତି, ସେ ବିଷୟରେ ନିଜେ ନିଜର ଆକଳନ କରିବା ଦରକାର। ମୋ ଅଞ୍ଚଳରେ ଯାହା ମୁଁ ଦେଖୁଛି, ସେହି କ୍ଷେତ୍ରକୁ ବଡ଼ ଆକାର କରିଦେଲେ ସମଗ୍ର ଭାରତବର୍ଷରେ ସେହି ପ୍ରକାରର ଚିତ୍ର ଦେଖାଯିବ। ଆଜି ଅନ୍ୟମାନେ ଯେଉଁ ଦୁଃଖର ସମ୍ମୁଖୀନ ହେଲା ବେଳେ ଆମେ ଖୁସି ହେଉଛେ, ଖୁବ୍‌ଶୀଘ୍ର ଆମ ଉପରେ ସେହି ଦୁଃଖର ଚଡ଼କ ପଡ଼ିବାର ସବୁ ଆଶଙ୍କା ରହିଛି। ସେତେବେଳେ କିଏ ଖୁସି ହେବ?


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri