କାୟକଳ୍ପ ଆୱାର୍ଡ ପାଇଁ ଆକଳନ: ବହୁ ପଛରେ ଗଞ୍ଜାମର ୨୦ ସ୍ବାସ୍ଥ୍ୟକେନ୍ଦ୍ର

ଛତ୍ରପୁର,୨୯ା୭(ଡି.ଏନ.ଏ.)-କାୟକଳ୍ପ ଆୱାର୍ଡ ପାଇବା ପାଇଁ ଗଞ୍ଜାମ ଜିଲାରେ ଥିବା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ଇଣ୍ଟରନାଲ ଆସେସମେଣ୍ଟ ସରିଛି । ଏଥିରୁ ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲ ସମେତ ୨୦ ସ୍ବାସ୍ଥ୍ୟକେନ୍ଦ୍ର ଆଓ୍ବାର୍ଡ ପାଇଁ ଥିବା ସମସ୍ତ ସର୍ତ୍ତ ପୂରଣ କରିବାରେ ବହୁତ ପଛରେ ରହିଥିବାରୁ କାୟକଳ୍ପ ପାଇଁ ଯୋଗ୍ୟ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ୧୦୦ରୁ ୭୦ ପ୍ରତିଶତ ମାର୍କ ମିଳିଲେ କାୟକଳ୍ପ ଆୱାର୍ଡ ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ଯୋଗ୍ୟ ବିବେଚିତ ହୋଇଥାଏ । ମାର୍କ ଅନୁସାରେ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବତନ୍ତ୍ର ଅନୁଦାନ ମିଳିଥାଏ। ପ୍ରତିବର୍ଷ ଏଥିପାଇଁ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ଇଣ୍ଟରନାଲ ଆସେସମେଣ୍ଟ ହୋଇଥାଏ। ପରେ ଏକ୍ସଟର୍ନାଲ ଆସେସମେଣ୍ଟ ହୋଇ ଚୂଡାନ୍ତ ହୋଇଥାଏ। ସୋରଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ୬୯ ପ୍ରତିଶତ ମାର୍କ ମିଳିଥିବା ବେଳେ କବିସୂର୍ଯ୍ୟନଗରକୁ ୬୮, ବଡ଼ଗଡ଼କୁ ୬୭, ବୋମକେଇ ୬୭, ଖଲ୍ଲିିକୋଟ ଓ ଦିଗପହଣ୍ଡିକୁ ୬୫ ପ୍ରତିଶତ ମାର୍କ ମିଳିଛି। ସେହିପରି ଆଡପଡା ସ୍ବାସ୍ଥ୍ୟକେନ୍ଦ୍ରକୁ ୬୪, ସିଟି ହସ୍ପିଟାଲକୁ ୬୩, ବେଲଗୁଣ୍ଠାକୁ ୬୨, ମୁନିସିପେଣ୍ଠକୁ ୬୧, ଖଣ୍ଡଦେଉଳି, ଶେରଗଡ଼, ବାଲିସିରା, ସୁମଣ୍ଡଳକୁ ୫୨ ପ୍ରତିଶତ ଲେଖାଏ ମାର୍କ ମିଳିଛି। ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୫୦ ପ୍ରତିଶତ, ଗିରିଶୋଲକୁ ୪୮, କେଲୁଆପାଲି ଓ କୁକୁଡ଼ାଖଣ୍ଡିକୁ ୪୨ ପ୍ରତିଶତ ଲେଖାଏ, ଗାଲେରିକୁ ୪୧ ଓ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୬୮ ପ୍ରତିଶତ ମାର୍କ ମିଳିଛି । ଏସବୁ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ୭୦ ପ୍ରତିଶତରୁ ବହୁତ ତଳେ ରହିଛି। ଅନ୍ୟପକ୍ଷରେ ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ସମେତ ୧୩ ସ୍ବାସ୍ଥ୍ୟକେନ୍ଦ୍ରକୁ ୭୦ ଓ ତାଠାରୁ ଅଧିକ ମାର୍କ ମିଳିଛି । ସେଗୁଡିକ ହେଲା ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ, କୋଦଳା, ଆସିକା, ଭାଟକୁମରଡ଼ା, ପୁରୁଷୋତ୍ତମପୁର, ପୋଲସରା, ଗୋବରା, ବେଲଗାଁ, ହିଞ୍ଜିଳି, ବୁଗୁଡ଼ା, ଧରାକୋଟ ଓ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ।
ଛତ୍ରପୁର ହସ୍ପିଟାଲକୁ ୯୧ ପ୍ରତିଶତ ମାର୍କ ମିଳିଛି ଯାହାକି ଜିଲାରେ ପ୍ରଥମ।