କାଳିଜାଇ ଜଙ୍ଗଲରେ ହାତୀର ମୃତଦେହ ଠାବ, ତରବରିଆ ଭାବେ ବନବିଭାଗ ବ୍ୟବଚ୍ଛେଦ କରୁଥିବା ଅଭିଯୋଗ

ନୟାଗଡ ଅଫିସ/ରଣପୁର, ୮।୪(ସ୍ବ.ପ୍ର): ଖୋର୍ଦ୍ଧା ବନଖଣ୍ଡ ତଥା ନୟାଗଡ ଜିଲା ରଣପୁର ରେଞ୍ଜ ଭେଟବର ନିକଟସ୍ଥ କାଳିଜାଇ ଜଙ୍ଗଲରେ ବୁଧବାର ଏକ ହାତୀର ମୃତଦେହ ଠାବ କରାଯାଇଛି। ଦୁଇଦିନ ଧରି ଜଙ୍ଗଲରେ ମୃତଦେହ ପଡ଼ି ରହିଥିବା ବେଳେ ତାହା ମାଇ ହାତୀ କିମ୍ବା ଦନ୍ତାର ତାହା ଜଣାପଡ଼ିନାହିଁ। ଖବର ପାଇ ଖୋର୍ଦ୍ଧା ଡିଏଫ୍‌ଓ ଏବଂ ରଣପୁର ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ଭିଏସ୍‌ଙ୍କୁ ନେଇ ତରବରିଆ ଭାବେ ବ୍ୟବଚ୍ଛେଦ କରାଇ ପୋତି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଗତ ୫ ମାସ ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜରେ ୫ ହାତୀଙ୍କ ମୃତ୍ୟୁ ଘଟି ସାରିଛି। ଏଣୁ ବିଷ ଦେଇ ହାତୀଙ୍କୁ ମାରି ଦିଆଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପ୍ରଶାସନିକସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।