Categories: ଗଞ୍ଜାମ

କାଳିଆ ଯୋଜନା ହିତାଧିକାରୀ ତାଲିକା ଯାଞ୍ଚ କର୍ମଶାଳା

ଦିଗପହଣ୍ଡି,୮ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମଙ୍ଗଳବାର ପଞ୍ଚାୟତସ୍ତରୀୟ କାଳିଆ ଯୋଜନା ହିତାଧିକାରୀ ତାଲିକା ଯାଞ୍ଚ ନିମନ୍ତେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ କାଳିଆ ଯୋଜନା ବ୍ଲକସ୍ତରୀୟ ସମନ୍ବୟ କମିଟି ଅଧ୍ୟକ୍ଷ ତଥା ବିଡିଓ ହଳଧର ଶବର ଅଧ୍ୟକ୍ଷତା କରିଥିଲେ। ବ୍ଲକ ନୋଡାଲ ଅଫିସର ତଥା ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁ କାଳିଆ ଯୋଜନା ହିତାଧିକାରୀ ତାଲିକା ଯାଞ୍ଚ ନିମନ୍ତେ ରହିଥିବା ସମସ୍ତ ନୀତି ନିୟମ ସମ୍ପର୍କରେ ଉପସ୍ଥିତ ପଞ୍ଚାୟତସ୍ତରୀୟ ନୋଡାଲ ଅଧିକାରୀ, ସମବାୟ ସମିତି ସମ୍ପାଦକ, କୃଷକ ସାଥୀ ଏବଂ ଉପସ୍ଥିତ ରାଜସ୍ବ ନିରୀକ୍ଷକମାନଙ୍କୁ ବୁଝାଇଥିଲେ। କର୍ମଶାଳାରେ ବ୍ଲକ ସହକାରୀ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ନିଖିଲ କୁମାର ମହାରଣା, ବ୍ଲକ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା. ଅନୀତା ଦୋରା, ପ୍ରାଣୀ ଚିକିତ୍ସକ ଡ଼ା. ସିଦ୍ଧାର୍ଥ ପାଣିଗ୍ରାହୀ, ଡ଼ା. ଚିତ୍ତରଞ୍ଜନ ପଣ୍ଡା, ଜିପିଓ ରମାକାନ୍ତ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ ।
ଦିଗପହଣ୍ଡି ବ୍ଲକରେ ମୋଟ ୪୦ ହଜାର ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ପ୍ରାୟ ୨୦ ହଜାର ଚାଷୀ ପ୍ରଥମ ପର୍ଯ୍ୟାୟ ସହାୟତା ଅର୍ଥ ପାଇଛନ୍ତି। ସେମାନଙ୍କୁ ପୁଣି ୨ୟ କିସ୍ତି ସହାୟତା ଅର୍ଥରାଶି ପ୍ରଦାନ କରାଯିବ। ବଳକା ରହିଯାଇଥିବା ଚାଷୀଙ୍କୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ ପାଇଁ ସୁପାରିସ କରାଯିବ ବୋଲି ବିଡିଓ କହିଛନ୍ତି। ଆସନ୍ତା ୧୪ ତାରିଖ ଯାଏ ହିତାଧିକାରୀ ତାଲିକା ଯାଞ୍ଚ କରାଯିବ। କାଳିଆ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ପୁନର୍ବାର ଯାଞ୍ଚ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍‌ ଦିଆଯିବ । କୌଣସି ଚାପରେ ନ ପଡ଼ି ପ୍ରକୃତ ହିତାଧିକାରୀ ଚୟନ କରିବାକୁ ବିଡିଓ ପରାମର୍ଶ ଦେଇଥିଲେ।