‘କାଳିଆ ଯୋଜନା’ରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ: ଅରୁଣ ସାହୁ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ‘କାଳିଆ ଯୋଜନା’ରେ ଅଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ସରିଛି। ଇତିମଧ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ୨୭ ତାରିଖ ସୁଦ୍ଧା ପଞ୍ଚାୟତସ୍ତରରେ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ ଓ ଜିଲାସ୍ତରରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କାର୍ଯ୍ୟ ସରିବ। ତେବେ ରାଜ୍ୟରେ ୫୧ ଲକ୍ଷ ଚାଷୀ କାଳିଆ ଯୋଜନାରେ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬ ଲକ୍ଷ ୮୮ ହଜାର ଚାଷୀଙ୍କ ଯାଞ୍ଚ ସରିଛି। ଚୂଡ଼ାନ୍ତ ରିପୋର୍ଟ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଗୁରୁବାର କାଳିଆ ଯୋଜନାର ସମୀକ୍ଷାକୁ ନେଇ ଆୟୋଜିତ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ସାହୁ ଏହା କହିଛନ୍ତି।

ପ୍ରକାଶଯୋଗ୍ୟ, ରାଜ୍ୟ ସରକାରଙ୍କ ‘କାଳିଆ ଯୋଜନା’ରେ ୩୦ ଲକ୍ଷ ଚାଷୀଙ୍କୁ ୫ଟି ଫସଲ ପାଇଁ ୨୫ ହଜାର ଟଙ୍କା, ୧୦ ଲକ୍ଷ ଭୂମିହୀନ ଚାଷୀଙ୍କୁ ୧୨ ହଜାର ୫୦୦ ଟଙ୍କା ଲେଖାଏ ଦେବା ଲାଗି ଯୋଜନା ରହିଛି। ଏତଦ୍‌ବ୍ୟତୀତ ୫ ଲକ୍ଷ ଅସହାୟ ଚାଷୀ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।