କାଳିଆ ଯୋଜନାରେ ଠକେଇ: ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଲେ ଅକ୍ଷୟ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଚାଷୀଙ୍କ ଜୀବିକା ସୁରକ୍ଷା ସକାଶେ ରବି ଏବଂ ଖରିଫ ଋତୁରେ ସରକାର ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସରକାର ଏହି ପ୍ରତିଶ୍ରୁତି ପୂରଣରେ ଖିଲାପ କରିଥିବା ଦର୍ଶାଇ ନବ ନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ତାଙ୍କ ଜଟଣୀ କାର୍ଯ୍ୟାଳୟରେ ୮ ଦିନ ହେଲା ଅନଶନରେ ବସିଛନ୍ତି। ଏନେଇ ଗୁରୁବାର ସେ ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍‌. ଜାଭେରିଙ୍କୁ ପତ୍ର ଲେଖି ଜଣାଇଛନ୍ତି। ତାଙ୍କ କହିବା ହେଲା, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ୭୦ଲକ୍ଷ ଚାଷୀ କାଳିଆ ଯୋଜନାରେ ସାମିଲ ହେବେ ଏବଂ ସମସ୍ତେ ସହାୟତା ପାଇବେ, କେହି ବଞ୍ଚିତ ହେବେନାହିଁ ବୋଲି କହିଥିଲେ। କାଳିଆ ଯୋଜନା ବନ୍ଦ ହେବ ନାହିଁ, ନିର୍ବାଚନ ଜିତିବାର ୨୪ଘଣ୍ଟା ମଧ୍ୟରେ ସମସ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି କହିଥିଲେ। ମାତ୍ର ଏହି ଯୋଜନାରେ ଲାଭ ପାଇବାରୁ ଅନେକ ଚାଷୀ ବଞ୍ଚିତ ହୋଇଥିବା ସେ କହିଛନ୍ତି। ଏନେଇ ସବୁ ଜିଲାରେ ଏସ୍‌ପିଙ୍କ ନିକଟରେ ଏତଲା ଦିଆଯିବା ସହିତ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ମଧ୍ୟ ଦାଏର ହୋଇଛି ବୋଲି କହିଛନ୍ତି। ଅପରପକ୍ଷରେ ଅକ୍ଷୟଙ୍କ ଅନଶନ ଭଙ୍ଗ କରିବା ପାଇଁ ଶାସକ ଦଳର ଦୁଇ ବିଧାୟକ ସୁଶାନ୍ତ ରାଉତ ଏବଂ ଅନନ୍ତ ନାରାୟଣ ଜେନା ଗୁରୁବାର ତାଙ୍କୁ ସାକ୍ଷାତ୍‌ କରି ଆଲୋଚନା କରିଛନ୍ତି। ଅନଶନ ବନ୍ଦ କରିବା ଲାଗି ଉଭୟ ବିଧାୟକ ନିବେଦନ କରିଥିବା ଜଣାପଡିଛି। ହେଲେ କାଳିଆ ଯୋଜନାରୁ ବାଦ୍‌ ଦିଆଯାଇଥିବା ଚାଷୀଙ୍କୁ ଅର୍ଥ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିବା ପରେ ସେ ଅନଶନରୁ ଉଠିବେ ବୋଲି ଅକ୍ଷୟ କହିଛନ୍ତି।