କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା

ଚମ୍ପୁଆ/ଯୋଡା/ଝୁମ୍ପୁରା, ୨୯।୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇ ବ୍ୟାପକ ଧାନ ଫସଲ ସାଙ୍ଗକୁ ପନିପରିବା ନଷ୍ଟ ହୋଇଯାଇଛି। କରୋନା ଲାଗି ଚାଷୀମାନେ କ୍ଷତିରେ ଥିବା ବେଳେ ଏବେ କୁଆପଥର ବର୍ଷା ଚିନ୍ତାରେ ପକାଇଛି। ଋଣ ଆଣି ଚାଷ କରିଥିବା ଚାଷୀ ଏହାକୁ କିପରି ପରିଶୋଧ କରିବେ ସେ ନେଇ ନିରାଶ ହୋଇପଡିଛନ୍ତି।
ସର୍ବମୋଟ ୧୨୨୬ ହେକ୍ଟର ଧାନ, ୧୬୪ ହେକ୍ଟର ତୈଳବୀଜ ଓ ୫୦୬୮ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଥିଲା। ଗତ ୨୮ତାରିଖ ସୁଦ୍ଧା କୃଷିବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ସର୍ବମୋଟ ୫୨.୨ ହେକ୍ଟର ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ ୧୩୮.୪ ହେକ୍ଟର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଏହି କୃଷି ଜିଲା ଅଧୀନରେ ଯୋଡ଼ା, ଚମ୍ପୁଆ ଓ ଝୁମ୍ପୁରା ୩ଗୋଟି ବ୍ଲକ ରହିଥିବା ବେଳେ ଚମ୍ପୁଆ ବ୍ଲକରେ ଅଧିକ କ୍ଷୟକ୍ଷତି ହୋଇଛି। ସୂଚନା ଅନୁସାରେ ଚଳିତ ଋତୁରେ ଚମ୍ପୁଆ ବ୍ଲକରେ ଧାନ ୮୩୫ ହେକ୍ଟର, ତୈଳବୀଜ ୭୨ ହେକ୍ଟର, ପନିପରିବା ୨୪୧୬ ହେକ୍ଟର ଚାଷ କରାଯିବା ସହ ଝୁମ୍ପୁରା ବ୍ଲକରେ ୧୦୬ ହେକ୍ଟର ଧାନ, ୪୫ ହେକ୍ଟର ତୈଳବୀଜ ଓ ୧୮୩୫ ହେକ୍ଟର ପନିପରିବା ଚାଷ କରାଯାଇଛି। ସେହିପରି ଯୋଡା ବ୍ଲକରେ ୨୮୫ ହେକ୍ଟର ଧାନ, ୪୭ ହେକ୍ଟର ତୈଳବୀଜ ଓ ୮୧୭ ହେକ୍ଟର ପନିପରିବା ଚାଷ କରାଯାଇଛି। ଚମ୍ପୁଆ ବ୍ଲକରେ ୫୨.୨ ହେକ୍ଟର ଧାନଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୨୦.୯ ହେକ୍ଟର ପନିପରିବା ସହିତ ଝୁମ୍ପୁରା ବ୍ଲକରେ୧୭.୫ ପନିପରିବା ନଷ୍ଟ ହୋଇଛି। ୧୫ଟି ପଞ୍ଚାୟତ ସହିତ ସହରାଞ୍ଚଳର ଏହି ଚାଷ କ୍ଷତିଗ୍ରସ୍ତ ହୋଇଛି। ଚମ୍ପୁଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ହେକ୍ଟର ହେକ୍ଟର ପରିବା ଫସଲ ନଷ୍ଟ ହୋଇଛି। ଏହି କ୍ଷୟକ୍ଷତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି।