Posted inପୁରୀ

କାଲି ଦାରୁଦିଅଁଙ୍କ ପ୍ରତ୍ୟକ୍ଷ ସ୍ନାନ: ଅପେକ୍ଷା କରି ରହିଛି ସ୍ନାନବେଦି

ପୁରୀ ଅଫିସ,୪ା୬:ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ କରିବେ ପ୍ରତ୍ୟକ୍ଷ ସ୍ନାନ, ପୁଣି ହାତୀବେଶରେ ସଜେଇ ହେବେ। ଏଥିପାଇଁ ଦାରୁଦିଅଁଙ୍କୁ ଅପେକ୍ଷା କରିରହିଛି ସ୍ନାନବେଦି। ଠାକୁରଙ୍କ ସମସ୍ତ ନୀତିକାନ୍ତି ସିନା ହେବ କିନ୍ତୁ ଏ ସବୁକୁ ଦେଖିବାକୁ ବଡ଼ଦାଣ୍ଡରେ ଭକ୍ତ ନ ଥିବେ କି ସିଂହଦ୍ୱାରରେ ଶୁଣିବାକୁ ମିଳିବନି ଜୟ ଜଗନ୍ନାଥ ଧ୍ୱନି। ଦେଖିବାକୁ ମିଳିବନି ଭକ୍ତର ଆତୁର ପ୍ରାର୍ଥନା ଓ ଭାବବିହ୍ବଳତା। କାରଣ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି କରୋନା। ଏହି ମହାମାରୀ ପାଇଁ ଭକ୍ତଙ୍କୁ ଏଥର ବଡ଼ଦାଣ୍ଡ ମନା। ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ୧୪୪ ଧାରା ଭିତରେ ହେଉଛି ସ୍ନାନଯାତ୍ରା।
ଗୁରୁବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ଶେଷ ହୋଇଛି। ରତ୍ନସିଂହାସନରେ ଚାରବାଡ଼ ବନ୍ଧା ସରିଛି। ରାତି ୧ଟାରୁ ଶୁକ୍ରବାର ଭୋର ୪ଟା ମଧ୍ୟରେ ପହଣ୍ଡି ଲାଗି ନୀତି ନିର୍ଘଣ୍ଟ ହୋଇଛି। ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥ ସ୍ନାନବେଦିକୁ ଆସିବେ। ଦାରୁବିଗ୍ରହମାନେ ସ୍ନାନବେଦିରେ ପ୍ରତ୍ୟକ୍ଷ ସ୍ନାନ କରିବେ। ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନା କୁଅରୁ ୧୦୮ ଗଡୁ ଜଳ ଆଣି ଜଳଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ। ଅଧିବାସ ଗୃହରୁ ୧୦୮ ଗଡୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦିରେ ରଖାଯିବ। ଜଳ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡୁ, ସୁଭଦ୍ରା ୨୨ ଗଡୁ, ଶ୍ରୀଜଗନ୍ନାଥ ୩୫ ଗଡୁ ଏବଂ ସୁଦର୍ଶନ ୧୮ ଗଡୁ ଜଳରେ ସ୍ନାନ କରିବେ। ଗଜପତି ମହାରାଜା ଛେରାପହଁରା ନୀତି ସମ୍ପନ୍ନ କରିବା ପରେ ମହାପ୍ରଭୁଙ୍କ ଦୁଲର୍‌ଲଭ ହାତୀବେଶ ଅନୁଷ୍ଠିତ ହେବ। ଏହି ବେଶ ଥାଇ ଘଣ୍ଟଛତା ସକାଳ ଧୂପ ଭୋଗ ସମ୍ପନ୍ନ ହେବ। ଏଥର ଭକ୍ତଙ୍କୁ ବାରଣ କରାଯାଇଥିବାରୁ ସାହାଣ ମେଲା ଦର୍ଶନ ବନ୍ଦ ରହିଛି। ଅପରାହ୍ନ ୪ଟାରେ ହାତୀବେଶ ମଇଲମ ହେବ। ପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ଶେଷ ହୋଇ ମହାପ୍ରଭୁ ସ୍ନାନବେଦିରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ। ଅପରାହ୍ନ ୫ଟାରୁ ରାତି ୮ଟା ମଧ୍ୟରେ ବାହୁଣ୍ଡା ପହଣ୍ଡି ଶେଷ ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଏହାପରେ ସୁନା ଚିତା ଓ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯିବ। ଆରମ୍ଭ ହେବ ଅଣସର ନୀତି। ଦୀର୍ଘବର୍ଷ ପରେ ଚଳିତବର୍ଷ ପ୍ରଥମ ଥର ପାଇଁ ସ୍ନାନପୂର୍ଣ୍ଣିମା ଦିନଠାରୁ ହିଁ ଠାକୁରଙ୍କ ଅଣସର ବିଧି ଆରମ୍ଭ କରାଯିବ। ଜ୍ୱରରେ ପଡ଼ିିବେ ମହାପ୍ରଭୁ। ୧୫ଦିନ ଧରି ଚାଲିବ ଉପଚାର। ସୁସ୍ଥ ହେବେ ମହାପ୍ରଭୁ। ଆସନ୍ତା ୨୦ ତାରିଖରେ ନବଯୌବନ ଦର୍ଶନ ଥିବାବେଳେ ୨୩ ତାରିଖରେ ରଥଯାତ୍ରା।
ଏବର୍ଷ ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ନିଆରା ପରିବେଶ ରହିଛି। ପ୍ରତିବର୍ଷ ସ୍ନାନଯାତ୍ରାର ଦିନେ ଦୁଇଦିନ ପୂର୍ବରୁ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ। ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଗହଳିଚହଳିରେ ଫାଟିପଡ଼େ ବଡ଼ଦାଣ୍ଡଠୁ ବେଳାଭୂମି। ମାତ୍ର ଏଥର କରୋନା ପାଇଁ ଏସବୁରେ ବ୍ୟତିକ୍ରମ। ଅଢେଇ ମାସ ହେବ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯାଉ ନାହିଁ। ବିନା ଭକ୍ତରେ ସ୍ନାନଯାତ୍ରା କରାଯାଉଥିବାବେଳେ ରଥଯାତ୍ରା ଆୟୋଜନକୁ ନେଇ ଅନିଶ୍ଚିତତା ଲାଗିରହିଛି। ଯଦି ବି ରଥଯାତ୍ରା, ସୁନାବେଶ ଅବା ନୀଳାଦ୍ରି ବିଜେ ହେବ ସବୁ ବିନା ଭକ୍ତରେ ବୋଲି ଚର୍ଚ୍ଚା ହେଉଛି। ସ୍ନାନଯାତ୍ରା ସୁପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଏବଂ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଘରେ ରହି ସ୍ନାନଯାତ୍ରା ଦେଖିବା ଲାଗି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସିଧା ପ୍ରସାରଣ ବ୍ୟବସ୍ଥା ହୋଇଛି। ଗୁରୁବାର ଡିଆଇଜି ଆଶିଷ ସିଂ ପୁରୀ ଆସି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ରାତି ୧୦ଟାରୁ ୬ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ପୁରୀବାସୀଙ୍କ ଏହି ତ୍ୟାଗ ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଶୋଭାଯାତ୍ରାରେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ

ପୁରୀ, ୨୨।୪: ଶୋଭାଯାତ୍ରାରେ ସମୟରେ ଅସୁସ୍ଥ ହୋଇଛନ୍ତି ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ଶୋଭାଯାତ୍ରା ଚାଲିଥିବା ସମୟରେ ପିପିଲି ହାଟ ଛକ ନିକଟରେ...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri