କାର ଧକ୍କାରେ ଛାତ୍ର ମୃତ

କ୍ଷତିପୂରଣ ଦାବିରେ ରାସ୍ତାରୋକୋ ପାଟପୁର,୮ା୧୨-ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ମୁଖ୍ୟ ରାସ୍ତାରେ ଶନିବାର ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଜପତି ଜିଲା ଢେଉପଦର ଗଁାର ସିପୁନ ନାୟକ। ନଂ. ୧୬୨/୧୯ରେ ମାମଲା ରୁଜୁ କରି ପୋଲିସ ଛାତ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ କାର୍‌ ଓ ସାଇକେଲକୁ ପୋଲିସ ଅଟକ ରଖିଛି।
ପ୍ରକାଶ ଯେ, ସିପୁନ ସାଇକେଲରେ ଲକ୍ଷ୍ମୀନାରାୟଣପୁର ଗ୍ରାମରୁ ନିଜ ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍‌ଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଥିଲା। କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ପୂର୍ବାହ୍ନ ପ୍ରାୟ ୧୦ ଟାରୁ ଅପରାହ୍ନ ପ୍ରାୟ ୧ଟା ପର୍ଯ୍ୟନ୍ତ ରାସ୍ତାରୋକୋ କରିଥିଲେ। ଖବର ପାଇ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ଡିଏସ୍‌ପି ସଞ୍ଜୟ କୁମାର ମହାପାତ୍ର, ପାଟପୁର ଥାନାଧିକାରୀ ଅଜୟ କୁମାର ବାରିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା।